ଚାଷୀ ଆନ୍ଦୋଳନ ନେଇ କାନାଡା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟରେ ଆପତ୍ତି ଉଠାଇଲା ଭାରତ

ନୂଆଦିଲ୍ଲୀ – ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଇଥିବା ମନ୍ତବ୍ୟ ଉପରେ ଭାରତ ଆପତ୍ତି ଉଠାଇଛି । ଟ୍ରୁଡୋଙ୍କ ମନ୍ତବ୍ୟ ଅନାବଶ୍ୟକ ଓ ଭୁଲ ତଥ୍ୟ ଉପରେ ଆଧାରିତ ବୋଲି ଭାରତ କହିଛି । ଚାଷୀ ଆନ୍ଦୋଳନ ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ ହସ୍ତକ୍ଷେପ ନ କରାଯାଉ । କୂଟନୀତିକ ଆଲୋଚନାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ନ କରାଗଲେ ଭଲ ହେବ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ ଚିନ୍ତାବ୍ୟକ୍ତ କରି କହିଥିଲେ ଯେ, ସେ ସର୍ବଦା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରିବେ ଏବଂ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସେ ଭାରତୀୟ ଅଧିକାରୀଙ୍କ ସହ କଥା ହେବେ । ଟ୍ରୁଡୋଙ୍କ ଏହି ମନ୍ତବ୍ୟ ଉପରେ ସାମ୍ବାଦିକଙ୍କ ପ୍ରଶ୍ନରେ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଶ୍ରୀବାସ୍ତବ କହିଥିଲେ – ଭାରତ ଉପରେ କାନାଡା ନେତା ମନ୍ତବ୍ୟ ଦେବା ଆମେ ଦେଖିଛୁ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଏଭଳି ମନ୍ତବ୍ୟ ଅନାବଶ୍ୟକ ।

କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାବର୍ତ୍ତି ଅଞ୍ଚଳ ଗୁଡିକରେ ଆନ୍ଦୋଳନ ଜାରି ରଖିଥିବା ଚାଷୀଙ୍କ ସହ ଆଜି କେନ୍ଦ୍ର ସରକାର ଆଲୋଚନା ଆରମ୍ଭ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଆଲୋଚନାର ନେତୃତ୍ୱ ନେଉଛନ୍ତି ।

Comments are closed.