ପ୍ରଦୀପଙ୍କ ବହିଷ୍କାର ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା : ବିନା ପ୍ରମାଣରେ କୌଣସି ନିଷ୍ପତି ନିଅନ୍ତି ନାହିଁ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ । ଗଞ୍ଜାମବାସୀ କୋଭିଡ ସହ ଲଢୁଥିବା ବେଳେ ପ୍ରଦୀପ ଅୟସ କରୁଥିଲେ । ଜିଲ୍ଲାର ଜନ ପ୍ରତିନିଧି ଭାବେ ଏଭଳି ବୁଲିବା ଜନ ବିରୋଧୀ ନୁହେଁ କି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ବିନା କାରଣରେ ନୁହେଁ, ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବହିଷ୍କାର କରାଯାଇଛି । ବିନା ପ୍ରମାଣରେ ଦଳର ସୁପ୍ରିମୋ କେବେ ନିଷ୍ପତି ନିଅନ୍ତି ନାହିଁ ବୋଲି ପ୍ରତାପ କହିଛନ୍ତି । ଓଡିଶାର ଲୋକେ ମୂର୍ଖ ନୁହନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନକୁ ସେମାନେ ଭଲ ଭାବେ ବୁଝିଛନ୍ତି । ନବୀନ ପଟ୍ଟନାୟକ କାହାଦ୍ୱାରା ପରିଚାଳିତ ନୁହନ୍ତି ବୋଲି ପ୍ରତାପ ଦେବ କହିଛନ୍ତି ।

ନିର୍ଯାତନା ଦିଆଯାଉଥିବା ନେଇ ପ୍ରଦୀପଙ୍କ ଅଭିଯୋଗ ଉପରେ ପ୍ରତାପ କହିଛନ୍ତି ଯେ, ତଦନ୍ତ ପରିସରକୁ ଆସିଥିବା ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରିବ । ନିର୍ଯାତିତ ହେଉଥିବା ଲୋକେ ଏ ଯାଏଁ ଅଭିଯୋଗ କଲେଣି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ ।

ଓଡ଼ିଶାବାସୀଙ୍କୁ ବୋକା ଭାବି ଭୁତାଉଛନ୍ତି ତିନି ତିନି ଥରର ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ଭାବି ଜ୍ବାଇଁ ଟାଟା କମ୍ପାନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ସିଏ ସବୁଠୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ଓ ନାମୀଦାମୀ ପ୍ଲାଟ୍ ରହନ୍ତି । ଯେତେବେଳେ କି ଟାଟା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଆକାଶ ପାଠକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଖୋଦ୍ ଟାଟା ଏତଲା ଦେଇଛି ଯେ, ବହୁ ଯୁବକ ଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାଁରେ ଜାଲ୍ ନିଯୁକ୍ତପତ୍ର ଦେବା ସହ ଆକାଶ କୋଟି କୋଟି ଟଙ୍କା ଠକିଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି ।

ପ୍ରଦୀପ ପାଣିଗ୍ରାହୀ ଭାବୁଛନ୍ତି ଓଡ଼ିଶାବାସୀ ମୂର୍ଖ ? ତା ନ ହୋଇଥିଲେ ଏପରି ହାଇପ୍ରୋଫାଇଲ୍ ଠକାମୀକୁ ଲୁଚାଇବାକୁ ଓଡ଼ିଶାବାସୀଙ୍କୁ ମନଗଢ଼ା କଥା କହି ଦିନରେ ଜହ୍ନ ଦେଖାନ୍ତେନି । ଏହା ଧୋକା ନୁହେଁ ତ ଆଉ କ’ଣ?

ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ, କୋଭିଡ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ, ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ ବୋଲି ପ୍ରତାପ ଦେବ କହିଛନ୍ତି ।

ପ୍ରଦୀପ ପାଣିଗ୍ରାହୀ ନିଜର ଅୟସ ପାଇଁ ଉଡ଼ାଉ ଥିବା ଟଙ୍କା କାହାର ଥିଲା? ଏତେ ଟଙ୍କା ସେ କେଉଁଠୁ ଆଣିଥିଲେ ?

ଏହା ଓଡ଼ିଶାବାସୀଙ୍କ ଝାଳ ବୁହା ଟଙ୍କା ଥିଲା, ଯାହା ସେ ବେଧଡ଼କ ଭାବେ ଖର୍ଚ୍ଚ କରୁଥିଲେ । ଏହି ଟଙ୍କା ସେଇମାନଙ୍କର ଯେଉଁମାନେ ଦିନରାତି ଏକ କରି ଉପାର୍ଜନ କରିଥିବା ଟଙ୍କାକୁ ଟାଟାରେ ଖଣ୍ଡେ ଚାକିରି ପାଇବା ଆଶାରେ ତାଙ୍କୁ ଟେକି ଦେଇଥିଲେ ।

ଏସବୁ ଜନବିରୋଧୀ କାର୍ଯ୍ୟକଳାପ ନୁହେଁ ତ ଆଉ କ’ଣ? ତିନି ତିନି ଥର ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ମିଳିତ ଭାବେ ୨୧ ବର୍ଷର ଯୁବକ ତଥା ନିଜ ପୁଅ ଓ ଭାବି ଜ୍ବାଇଁକୁ ଟାଟା କମ୍ପାନୀର ଫେକ୍ MD କରିପାରନ୍ତି, ତାର ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ସେପରି ଲୋକଙ୍କୁ କଣ କୁହାଯିବ ।

ଏପରି କଦର୍ଯ୍ୟ ଲୋକଙ୍କୁ କଣ କୁହାଯିବ ? ପିଲାଙ୍କୁ ଭୁଲ୍ ପଥରେ ଯିବାରୁ ରୋକିବା, ଉଚିତ୍ ରାସ୍ତା ଦେଖାଇବା ବାପାମାଆଙ୍କ କର୍ତ୍ତବ୍ୟ । ହେଲେ ଏଠି ନିଜର ସ୍ବାର୍ଥ ପାଇଁ ଆରାମଦାୟକ ଜୀବନ ପାଇଁ ନିଜେ ବାପାମାଆ ନିଜ ପିଲାଙ୍କୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ କରିଛନ୍ତି । ଯାହା ଦ୍ବାରା ଶଶୂର ଘର ଲୋକେ ନିଜର ପତିଆରା ଜୀବନ ବିତାଇପାରିବେ ।

ନିଜର ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନୀର ଏମଡି ଭାବେ ପରିଚୟ ଦେଇ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଚାକିରିରେ ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବା ନାଁରେ ଠକି ଥିଲେ ।

ଏତେସବୁ ପରେ ବି ନିର୍ଲଜ ପରି ପ୍ରଦୀପ କହୁଛନ୍ତି, ଆକାଶ ଟାଟା କମ୍ପାନୀର ରିୟଲ୍ MD । ଯଦି ଆକାଶ MD ବୋଲି ପ୍ରମାଣ ନ କରିପାରିବେ, ସେ ଓଡ଼ିଶା ଛାଡ଼ିଦେବେ ବୋଲି କହିଛନ୍ତି ।

ପ୍ରେସମିଟ୍ କରି ଲୋକଙ୍କୁ ଭ୍ରମିତ କରିବା ସହ ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କର ବିରୋଧରେ ନ ଯିବାକୁ ପରୋକ୍ଷରେ ଧମକେଇ ଥିଲେ ପ୍ରଦୀପ । ଓଡ଼ିଶାବାସୀ ତାଙ୍କ ଚାଲ୍ ଜାଣିସାରିଛନ୍ତି ଏବଂ ଏପରି ଧୋକାବାଜକୁ ସେମାନେ ଛାଡ଼ିବେ ନାହିଁ
ଯେଉଁମାନ ତୁମକୁ ଭରସା କରି ନିଜର ସୁରକ୍ଷା ପାଇଁ ଭୋଟ୍ ଦେଇଥିଲେ, ଶେଷରେ ସେଇମାନଙ୍କ ସହ ବିଶ୍ବାସଘାତକ କରିବାକୁ ପଛେଇଲେନି ପ୍ରଦୀପ ।

ଓଡ଼ିଶାବାସୀଙ୍କ ପାଇଁ କାମ କରିବା ବିଜେଡି ଦଳର ଏକମାତ୍ର ଉଦ୍ଦେଶ୍ୟ । ପ୍ରଦୀପ ପାଣିଗ୍ରାହୀ ପରି ହୀନ ବ୍ୟକ୍ତି, ଯିଏ ନିଜର ସ୍ବାର୍ଥ ପାଇଁ ଭାବି ଜ୍ବାଇଁକୁ ବ୍ୟବହାର କରିପାରେ, ନିଜର ନିର୍ବାଚନ ମଣ୍ଡଳିବାସୀଙ୍କୁ ଧୋକା ଦେଇପାରେ ଏବଂ ଓଡ଼ିଶାବାସୀଙ୍କୁ ବେଧଡ଼କ ଭାବେ ମିଛ କହିପାରେ, ସେପରି ବ୍ୟକ୍ତିଙ୍କ ଦଳରେ ସ୍ଥାନ ନାହିଁ ବୋଲି ପ୍ରତାପ ଦେବ କହିଛନ୍ତି ।

ଯଦି ସତରେ ଆକାଶ ଟାଟା ମୋର୍ଟସର ଏମିଡି, ତାହାଲେ ତାଙ୍କ ଗିରଫ ପରେ ସାରା ଦେଶରେ ହଲଚଲ ସୃଷ୍ଟି ହୋଇଥାନ୍ତା । ଏହା କେବଳ ଓଡ଼ିଶାରେ ନୁହେଁ, ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବ୍ରେକିଂ ନ୍ୟୁଜ୍ ହୋଇଥାନ୍ତା । କିନ୍ତୁ ଏପରି କିଛି ବି ହୋଇନି । ଏଥିରୁ ସ୍ପଷ୍ଟ ଯେ, ପ୍ରଦୀପ ତାଙ୍କ ଭାବି ଜ୍ବାଇଁ କେତେ ସତ କହୁଛନ୍ତି । ଆଉ କେଉଁ ମାତ୍ରାରେ ଓଡ଼ିଶା ଲୋକଙ୍କୁ ବୋକା ଭାବୁଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି ।

Comments are closed.