ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ବାହାରିଲେ ପୂର୍ବତନ କ୍ରୀଡ଼ାବିତ୍‌, ପୁରସ୍କାର ଫେରାଇବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ – ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ରାଜ୍ୟର ଚାଷୀଙ୍କୁ ଦେଶର ବହୁ ପୂର୍ବତନ କ୍ରୀଡ଼ାବିତ୍ ସମର୍ଥନ ଜଣାଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀ ଆଡକୁ ଯାଉଥିବା ଆନ୍ଦୋଳନରତ ଚାଷୀଙ୍କୁ ରୋକିବା ଲାଗି ବଳ ପ୍ରୟୋଗ କରାଯାଉଥିବରୁ ଏହାର ପ୍ରତିବାଦ ସ୍ୱରୂପ ସେମାନେ କେନ୍ଦ୍ର ଠାରୁ ପାଇଥିବା ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି । ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ବିଜେତା ରେସଲର କର୍ତ୍ତାର ସିଂ, ଅର୍ଜୁନ ବିଜେତା ବାସ୍କେଟବଲ ଖେଳାଳି ସଜନ ସିଂ ଚିମା ଓ ହକି ଖେଳାଳି ରାଜବୀର କୌରଙ୍କ ଭଳି ଅନେକ ପୂର୍ବତନ କ୍ରୀଡ଼ାବିତ ନିଜ ପୁରସ୍କାର ଫେରାଇବେ ବୋଲି କହିଛନ୍ତି । ଡିସେମ୍ବର ୫ରେ ସେମାନେ ଦିଲ୍ଲୀ ଯିବେ ଓ ନିଜ ପୁରସ୍କାର ରାଷ୍ଟ୍ରପତି ଭବନ ବାହାରେ ରଖିବେ । ଆନ୍ଦୋଳନରତ ଚାଷୀଙ୍କ ଉପରକୁ ପାଣିମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ନେଇ ସେମାନେ କେନ୍ଦ୍ର ଓ ହରିୟାଣା ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଆମେ ସବୁ ଚାଷୀଙ୍କ ସନ୍ତାନ । ସେମାନେ ଗତ କିଛିମାସ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବେଳେ କୌଣସି ହିଂସାକାଣ୍ଡ ଦେଖିବାକୁ ମିଳିନଥିଲା । ଯେବେ ଚାଷୀମାନେ ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଲେ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରାଯାଇଥିଲା । ଆମ ବଡ଼ଭାଇଙ୍କ ମୁଣ୍ଡରୁ ଯଦି ପଗଡି ଖସାଇ ସେମାନଙ୍କୁ ଅପମାନିତ କରାଯାଉଛି, ତେବେ ଆମକୁ ମିଳିଥିବା ଏହି ସବୁ ପୁରସ୍କାରର କୌଣସି ମୂଲ୍ୟ ନାହିଁ । ଆମେ ଚାଷୀମାନଙ୍କୁ ସମର୍ଥନ କରୁଛୁ । ଆମର ଏହି ପୁରସ୍କାର ଦରକାର ନାହିଁ । ତେଣୁ ଏହି ସବୁ ଆମେ ଫେରାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ପୂର୍ବତନ ବାସ୍କେଟବଲ ଖେଳାଳି ତଥା ଅର୍ଜୁନ ପୁରସ୍କାର ବିଜେତା ଚିମା କହିଛନ୍ତି । ପଦ୍ମଶ୍ରୀ ଓ ଅର୍ଜୁନ ବିଜେତା ରେସଲର କର୍ତ୍ତା ସିଂ କହିଛନ୍ତି ଯେ, ସେମାନେ ଆସନ୍ତା ଡିସେମ୍ବର ୫ରେ ଦିଲ୍ଲୀ ଯାଇ ନିଜ ପୁରସ୍କାର ଫେରାଇବେ । ପୂର୍ବତନ କ୍ରୀଡ଼ାବିତମାନେ ଚାଷୀମାନଙ୍କ ସହ ଆନ୍ଦୋଳନରେ ବି ସାମିଲ ହେବେ ବୋଲି ସେ କହିଛନ୍ତି ।

Comments are closed.