ଜାନୁଆରୀ ୮ରେ ମୁମ୍ବାଇ ପୋଲିସ୍ ଆଗରେ ହାଜର ହେବେ କଙ୍ଗନା

ମୁମ୍ବାଇ – ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ ମାମଲାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନୌତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ଜାନୁଆରୀ ୮ ସୁଦ୍ଧା ମୁମ୍ବାଇ ପୋଲିସ୍ ଆଗରେ ହାଜର ହେବାକୁ ପଡିବ । ଉଭୟଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ତେବେ ସେପର୍ଯ୍ୟନ୍ତ କଙ୍ଗନା ଓ ରଙ୍ଗୋଲିଙ୍କୁ ଗିରଫ କରାଯାଇ ପାରିବନି ବୋଲି ହାଇକୋର୍ଟ କହିଛନ୍ତି । ଏହି ମାମଲା ବନ୍ଦ କରିବାକୁ କଙ୍ଗନା ଓ ତାଙ୍କ ଭଉଣୀଙ୍କ ତରଫରୁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

ଉଭୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବାକୁ ନେଇ ହାଇକୋର୍ଟ ମୁମ୍ବାଇ ପୋଲିସକୁ ବି ସମାଲୋଚନା କରିଛନ୍ତି । ଦେଶର ନାଗରିକଙ୍କ ବିରୋଧରେ ଏଭଳି ବ୍ୟବହାର କରିବା ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ କରିବା ଓ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ କଙ୍ଗନା ଓ ରଙ୍ଗୋଲିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସ୍ ତିନିଥର ଉଭୟଙ୍କୁ ସମନ ପଠାଇଥିଲା । ହେଲେ ବାହାଘର ଓ ଅନ୍ୟାନ୍ୟ କାରଣ ଦର୍ଶାଇ କଙ୍ଗନା ଓ ରଙ୍ଗୋଲି ପୋଲିସ ସମନକୁ ଏଡାଇ ଚାଲିଥିଲେ ।

Comments are closed.