ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

ଦୁବାଇ – ଗତ ଦଶ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଆଇସିସି ବିଭିନ୍ନ ବର୍ଗର ପୁରସ୍କାର ପାଇଁ ମନୋନୀତ ଖେଳାଳିଙ୍କ ତାଲିକା ଘୋଷଣା କରିଛି । ସବୁଠୁ ସମ୍ମାନଜନକ ‘ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି’ ବର୍ଗରେ ଆଇସିସି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମନୋନୀତ କରିଛି ।

ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବର୍ଗରେ ମନୋନୀତ ୭ ଖେଳାଳିଙ୍କ ମଧ୍ୟରୁ ଭାରତରୁ କେବଳ କୋହଲି ଓ ଅଶ୍ୱିନ ସ୍ଥାନ ପାଇଛନ୍ତି । କୋହଲି ଓ ଅଶ୍ୱିନଙ୍କ ବ୍ୟତୀତ ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବର୍ଗରେ ଜୋ ରୁଟ୍ (ଇଂଲଣ୍ଡ), କେନ ୱିଲିୟମସନ (ନ୍ୟୁଜିଲାଣ୍ଡ), ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ଏବି ଡି’ଭିଲିୟର୍ସ (ଦକ୍ଷିଣ ଆଫ୍ରିକା) ଓ କୁମାର ସାଙ୍ଗାକାରା (ଶ୍ରୀଲଙ୍କା)ଙ୍କୁ ମନୋନୀତ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ବ୍ୟତୀତ କୋହଲି ଆଉ ପାଞ୍ଚଟି ପୁରସ୍କାର ଦୌଡ଼ରେ ବି ରହିଛନ୍ତି ।

ସେହିପରି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ପୁରୁଷ ଖେଳାଳି ପୁରସ୍କାର ଦୌଡ଼ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ରୋହିତ ଶର୍ମା ଓ କୋହଲି ରହିଛନ୍ତି । ଏହି ବର୍ଗରେ ସ୍ଥାନ ପାଇଥିବା ଆଉ ଚାରି ଖେଳାଳି ହେଉଛନ୍ତି ଲସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଡି’ଭିଲିୟର୍ସ ଓ ସାଙ୍ଗାକାରା ।

କୋହଲି ଓ ରୋହିତ ଶ୍ରେଷ୍ଠ ପୁରୁଷ ଟି୨୦ ଖେଳାଳି ଓ ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ବର୍ଗରେ ବି ସ୍ଥାନ ପାଇଛନ୍ତି ।

Comments are closed.