ଡାକ୍ତରଙ୍କ ଅଭିଯୋଗ: ମଡେର୍ଣ୍ଣା ଟିକାରୁ ହେଉଛି ଗମ୍ଭୀର ଆଲର୍ଜି ଜନିତ ପାଶ୍ୱର୍ ପ୍ରତିକ୍ରିୟା

ନ୍ୟୁୟର୍କ – ଫାଇଜର-ବାୟୋଏନ୍‌ଟେକ୍ ଟିକା ପରେ ଆମେରିକୀୟ ଡ୍ରଗ୍ସ ନିୟାମକ ମଡେର୍ଣ୍ଣା ଦ୍ୱାରା ବିକଶିତ ଟିକାକୁ ବି ଅନୁମୋଦନ କରିଛନ୍ତି । ଫାଇଜର ସହିତ ମଡେର୍ଣ୍ଣା ଟିକା ଆମେରିକାରେ ଲୋକଙ୍କୁ ଦିଆଯିବା ଆରମ୍ଭ ହୋଇଛି । ତେବେ ମଡେର୍ଣ୍ଣା ଟିକାକୁ ନେଇ ଆମେରିକା ବୋଷ୍ଟନ ସହରର ଜଣେ ଡାକ୍ତର ବଡ଼ ଅଭିଯୋଗ ଆଣିଛନ୍ତି । ଏହି ଟିକା ନେବାର କିଛି ମିନିଟ୍ ପରେ ତାଙ୍କ ଶରୀରରେ ଗମ୍ଭୀର ଆଲର୍ଜି ଜନିତ ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ମଡେର୍ଣ୍ଣା ଟିକାକୁ ନେଇ ପ୍ରଥମ ଥର ଏଭଳି ଅଭିଯୋଗ ଆସିଛି ।

କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ହୋସେନ୍ ସଦ୍ରାଜାଦେଙ୍କ କହିବା ଅନୁସାରେ ଏହି ଟିକା ନେବାର କିଛି ମିନିଟ୍ ପରେ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ହୃଦ୍ ସ୍ପନ୍ଦନ ବେଶ୍ ବଢ଼ି ଯାଇଥିଲା । ଅବସ୍ଥା ଏପରି ହୋଇଥିଲା ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଥିଲେ । ଏଭଳି ଅଭିଯୋଗ ପରେ ମଡେର୍ଣ୍ଣା ଏହି ମାମଲାର ଅନୁସନ୍ଧାନ କରିବ ବୋଲି କହିଛି ।

ପୂର୍ବରୁ ଫାଇଜର ଟିକା ବିରୋଧରେ ହୋଇଥିବା ଏଭଳି ୬ଟି ମାମଲାର ତଦନ୍ତ ଆମେରିକୀୟ ଫେଡେରାଲ ସଂସ୍ଥା ଦ୍ୱାରା ଜାରି ରହିଛି । ଫାଇଜର ଟିକା ନେବା ପରେ କିିଛି ଲୋକ ଆଲର୍ଜି ଜନିତ ‘ଆନାଫିଲାକ୍ସିସ୍‌’ ର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ବ୍ରିଟେନରେ ବି ଫାଇଜର ଟିକା ନେଇଥିବା କିଛି ଲୋକ ଏଭଳି ଅଭିଯୋଗ ଆଣିଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଫାଇଜର ଟିକାରେ ଥିବା ଏକ ନିର୍ଦ୍ଦିଷ୍ଟ ଉପାଦାନ ଯୋଗୁଁ ଏଭଳି ପାଶ୍ୱ ପ୍ରତିକ୍ରିୟାର କାରଣ ହୋଇପାରେ ।

Comments are closed.