ଚାଷୀ-ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ବି ବିଫଳ, ପରବର୍ତ୍ତୀ ବୈଠକ ୧୯ରେ

ନୂଆଦିଲ୍ଲୀ – କୃଷି ଆଇନ ନେଇ ଅଚଳାବସ୍ଥା ଜାରି ରହିଛି । ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଏଥର ବି ବିନା ନିଷ୍କର୍ସରେ ଆଲୋଚନା ଶେଷ ହୋଇଛି । ତଥାପି ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଜାନୁୟାରୀ ୧୯ରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଆଜି ଅନୁଷ୍ଠିତ ବୈଠକରେ କୃଷକ ସଂଗଠନ ପୁଣି ଆଇନ ଫେରାଇବାକୁ ଦାବି ଦୋହରାଇଥିଲେ ।

ସରକାରଙ୍କ ଆଭିମୁଖ୍ୟରେ ବି କୌଣସି ପରିବର୍ତ୍ତନ ହୋଇନଥିଲା । କୃଷି ଆଇନ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । ଏଥିରେ ସଂଶୋଧନ କରିହେବ ବୋଲି ସରକାର କହିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ସରକାର ଆଲୋଚନା ମାଧ୍ୟମରେ ଏହି ଅଚଳାବସ୍ଥାର ସମାଧାନ ବାହାର କରିବାକୁ ଚାହୁଁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ସୁପ୍ରିମକୋର୍ଟ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇଥିଲେ । କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନର ସମାଧାନ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଏହି କମିଟିରୁ ଗତକାଲି କୃଷକ ନେତା ଭୂପିନ୍ଦର ସିଂ ମାନ୍ ଓହରି ଯାଇଥିଲେ । ସୁପ୍ରିମକୋର୍ଟ କମିଟିରେ ମନୋନୀତ ସଦସ୍ୟ ସରକାରଙ୍କ ସମର୍ଥକ ବୋଲି କୃଷକ ସଂଗଠନ ମାନେ ଅଭିଯୋଗ କରିଥିଲେ ।

Comments are closed.