ଭାରତରେ କରୋନାର ନୂଆ ‘ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍‌’ ଚିହ୍ନଟ, ସ୍ଥାନୀୟ ପର୍ବପର୍ବାଣୀ ଉପରେ କଟକଣା ଲଗାଇବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ପୁଣି ଅଣାୟତ୍ତ ହେବାରେ ଲାଗିଛି । ଦୈନିକ ୪୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଏବେ କିଛି ରାଜ୍ୟରେ କରୋନା ଭାଇରସ୍‌ର ନୂଆ ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍ ଠାବ ହେବା ଚିନ୍ତା ବଢ଼ାଇ ଦେଇଛି । ଦେଶର ୧୮ଟି ରାଜ୍ୟରେ କରୋନାର ଏହି ନୂଆ ଷ୍ଟ୍ରେନ୍ ମିଳିଛି ।

ବୁଧବାର ସୁଦ୍ଧା ଏହି ସବୁ ରାଜ୍ୟମାନଙ୍କ ଠାରୁ ୧୦୭୮୭ ନମୁନା ପରୀକ୍ଷା ପାଇଁ ଆସିଥିଲା । ଏଥିମଧ୍ୟରୁ ୭୭୧ ନମୁନାରେ କରୋନାର ନୂଆ ଷ୍ଟ୍ରେନ୍ ମିିଳିଛି । ଏହି ୭୭୧ ନମୁନା ମଧ୍ୟରୁ ୭୩୬ ୟୁକେ ଷ୍ଟ୍ରେନ୍ ମାମଲା ରହିଥିବା ବେଳେ ୩୬ ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍‌ର ମାମଲା ରହିଛି ।

ଦେଶରେ ନୂଆ ଡବଲ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍ ମିଳିବା ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତତି କରିଛନ୍ତି । ତେବେ ଭାରତରେ ବଢ଼ୁଥିବା ନୂଆ ମାମଲା ସହ ଏହି ନୂଆ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍‌ର ସମ୍ପର୍କ ଥିବା ନେଇ ପ୍ରମାଣ ମିଳି ନାହିଁ ବୋଲି କେନ୍ଦ୍ର କହିଛି । ସେପଟେ ସଂକ୍ରମଣ ରୋକିବା ଲାଗି ସ୍ଥାନୀୟ ପର୍ବପର୍ବାଣୀ ଉପରେ କଟକଣା ଲଗାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଧବାର ଦେଶରେ ୪୭,୨୬୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଦିନକରେ ଆଉ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ଚଳିତ ବର୍ଷ ସର୍ବାଧିକ । ଭାରତରେ ମୋଟ କରୋନା ମାମଲା ୧,୧୭,୩୪,୦୫୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ଟପିଛି ।

Comments are closed.