ଜଷ୍ଟିସ ଏନ୍‌.ଭି.ରମଣା ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ – ଭାରତର ନୂଆ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ଏନ.ଭି.ରମଣା । ନିଜ ଉତ୍ତରଧିକାରୀ ଭାବେ ଜଷ୍ଟିସ ରମଣାଙ୍କ ନାମ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିିସ୍ ଏସ୍‌ଏ ବୋବଡେ । ବୋବଡେଙ୍କ କାର୍ଯ୍ୟକାଳ ଏପ୍ରିଲ ୨୩ରେ ଶେଷ ହେଉଛି । ବୋବଡେଙ୍କ ପରେ ଜଷ୍ଟିସ୍ ରମରଣା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ଯଦି କେନ୍ଦ୍ର ସରକାର ଜଷ୍ଟିସ୍ ବୋବଡେଙ୍କ ସୁପାରିସ ଗ୍ରହଣ କରନ୍ତି, ତେବେ ଜଷ୍ଟିସ୍ ରମଣା ଭାରତର ୪୮ତମ ପ୍ରଧାନ ବିଚାରପତି ହେବେ ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗମୋହନ ରେଡୀ ଆନ୍ଧ୍ର ହାଇକୋର୍ଟ ବ୍ୟାପାରରେ ଜଷ୍ଟିସ୍ ରମଣାଙ୍କ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରି ପ୍ରଧାନ ବିଚାରପତି ବୋବଡେଙ୍କ ନିକଟକୁ ଚିଠି ଲେଖିଥିଲେ । ଅମରାବତୀ ଜମି ଦୁର୍ନୀତିରେ ମଧ୍ୟ ଜଷ୍ଟିସ୍ ରମଣାଙ୍କ ପରିବାର ଲୋକ ସମ୍ପୃକ୍ତ ଅଛନ୍ତି ବୋଲି ଜଗମୋହନ ଅଭିଯୋଗ କରିଥିଲେ । ତେବେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରମଣାଙ୍କ ନାମ ସୁପାରିସ କରିବା ସହ ଜଷ୍ଟିସ୍ ବୋବଡେ ତାଙ୍କ ବିରୋଧରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କରିଥିବା ଅଭିଯୋଗ ଖାରଜ କରିଦେଇଛନ୍ତି ବୋଲି ସ୍ପଷ୍ଟ ହୋଇଛି ।

ଅଗଷ୍ଟ ୨୭, ୧୯୫୭ରେ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପୋନ୍ନାବରମ ଗ୍ରାମରେ ଜଷ୍ଟିସ୍ ରମଣାଙ୍କ ଜନ୍ମ ହୋଇଥିଲା । ଜଷ୍ଟିସ୍ ରମଣା ନିଜ ଶାସ୍ତ ଓ ସ୍ୱଳ୍ପଭାଷୀ ସ୍ୱଭାବ ପାଇଁ ପରିଚିତ । ୧୯୮୩ରେ ଓକିଲ ଭାବେ ନିଜ ଆଇନ କ୍ୟାରିୟର ଆରମ୍ଭ କରିଥିବା ଜଷ୍ଟିସ୍ ରମଣା ଆନ୍ଧ୍ର ପ୍ରଦେଶର ଅତିରିକ୍ତ ଆଡଭୋକେଟ ଜେନେରାଲ ସହ କେନ୍ଦ୍ର ସରକାରଙ୍କ ବିିଭିନ୍ନ ବିଭାଗର ଓକିଲ ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୦୦ରେ ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୪ରେ ଜଷ୍ଟିସ୍ ରମଣା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

Comments are closed.