ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ରାତି ଦୁଇଟାରୁ ନୀତିକାନ୍ତି, କୋରୋନା ମହାମାରୀ ଯୋଗୁଁ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ଦର୍ଶନରୁ ବଂଚିତ ହେବେ ଭକ୍ତ

ପୁରୀ – ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଶ୍ରୀଜିଉ ନାଗାର୍ଜୁନ ବେଶ ପଡିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଶତାବ୍ଦୀର ଏହା ହେବ ପ୍ରଥମ ନାଗାର୍ଜୁନ ବେଶ । ତେବେ ଏଥର କୋରୋନା ପରିସ୍ଥିତି ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିପାରିବେ ନାହିଁ । କେବଳ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ବେଶ କାର୍ଯ୍ୟ ସଂପନ୍ନ ହେବ । ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି କାର୍ଯ୍ୟସୂଚୀ ଅନୁସାରେ ରାତି ଦୁଇଟା ବେଳେ ଶ୍ରୀମନ୍ଦିର ଦ୍ୱାର ଫିଟା ହୋଇ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହେବ ।

ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ଦ୍ୱାରା ଚୂଡାନ୍ତ ହୋଇଥିବୀ ନୀତିକାନ୍ତି ନିର୍ଘଂଟ ଅନୁସାରେ ରାତି ୨ଟା ବେଳେ ହେବ ଦ୍ୱାର ଫିଟା । ରାତି୨ଟା ୨୦ ମିନିଟରେ ଭିତରଶୋଧ, ୨ଟା୩୦ ମିନିଟରେ ମଙ୍ଗଳ ଆଳତି, ରାତି ୩ଟାରେ ମଇଲମ,ସାଢେ ୩ଟାରେ ତଡପଲାଗି, ୩ଟା ୫୦ ମିନିଟରେ ଅବକାଶ ନୀତି ହେବ । ଶୁକ୍ରବାର ଭୋର୍ ବା ପ୍ରାତଃ ୪ଟାବେଳେ ମଇଲମ ଓ ନାଗାର୍ଜୁନ ବେଶ ଆରମ୍ଭ ହେବ । ପ୍ରାତଃ ସାଢେ ୪ଟା ବେଳେ ରୋଷହୋମ, ସକାଳ ୫ଟାରେ ସୂର୍ଯ୍ୟପୂଜା, ସକାଳ ୫ଟା୧୫ ମିନିଟରେ ଦ୍ୱାରପାଳ ପୂଜା ହେବ । ସକାଳ ୭ଟାରେ ନାଗାର୍ଜୁନ ବେଶ ଶେଷ ହେବ । ଅପରାହ୍ନ ୨ଟାରେ ନାଗାର୍ଜୁନ ବେଶ ମଇଲମ ହେବ ।

ସାଧାରଣତଃ ନାଗାର୍ଜୁନ ବେଶରେ ସର୍ବସାଧାରଣ ଦର୍ଶନ ଭିତରକାଠ ନିକଟରେ ହୋଇଥାଏ । କିନ୍ତୁ ଏଥର କୋଭିଡ-୧୯ ଯୋଗୁଁ ଏହା ବନ୍ଦ ରହିଛି । ନାଗାର୍ଜୁନ ବେଶରେ ଶ୍ରୀଜିଉ ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରି,ଶ୍ରୀମୁଖରେ ଲମ୍ବା ଦାଢି ରଖି ସଜେଇ ହେବେ । ଯେଉଁ ବର୍ଷ ପବିତ୍ର କାର୍ତିକ ମାସରେ ପଂଚକ ୫ ଦିନ ପରିବର୍ତେ ୬ ଦିନ ହୁଏ,ସେହି ବର୍ଷ ଶ୍ରୀଜିଉ ନାଗାର୍ଜୁନ ବେଶ ହୁଅନ୍ତି ବୋଲି ପରମ୍ପରା ରହିଛି । ଶେଷଥର ପାଇଁ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥିଲା ।

ଦୀର୍ଘ ୨୬ ବର୍ଷ ପରେ ପୁଣି ମହାପ୍ରଭୁ ନାଗାର୍ଜୁନ ବେଶ ହେଉଛନ୍ତି । କିନ୍ତୁ କୋରୋନା କଟକଣା ଯୋଗୁଁ ଏଥର ଶ୍ରଦ୍ଧାଳୁ ଏହି ଅପୂର୍ବ ବେଶ ଦର୍ଶନରୁ ବଂଚିତ ହେବେ । ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ପୁରୀ ପ୍ରଶାସନ ନିବେଦନ କରିଛି । ଶ୍ରୀମନ୍ଦିର ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀର ବାସିନ୍ଦା କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ । କିନ୍ତୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି ।

ଉତର ଓ ଦକ୍ଷିଣ ଦ୍ୱାରରେ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ଜଗନ୍ନାଥ ବଲ୍ଲଭ ମଠରେ ଅବଢା ଦିଆଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Comments are closed.