ଗରିମା’ : ମହାତ୍ମାଙ୍କ ନୀତି ଓ ଆଦର୍ଶ ପ୍ରତି ନବୀନଙ୍କ ଶ୍ରଦ୍ଧାଜଂଳି

ଭୁବନେଶ୍ବର: ଏକ ନିର୍ବାଚିତ ଲୋକପ୍ରିୟ ସରକାରଙ୍କ ପାଇଁ ସବୁବର୍ଗର ଲୋକଙ୍କ କଲ୍ୟାଣ ପ୍ରାଥମିକତା ହୋଇଥାଏ । ସମାଜରେ ସମସ୍ତେ ଯେମିତି ସମାନ ସରକାରୀ ସୁବିଧାସୁଯୋଗ ପାଇବେ, ତାହା ଦେଖିବା ସରକାରଙ୍କ କାମ । ସମାଜର ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣକାରୀ ଯୋଜନା କଥା କହିଲେ ଓଡିଶାର ନବୀନ ପଟ୍ଟନାୟକଙ୍କ ସରକାର ଆଗରେ ଅଛନ୍ତି,ଏଥିରେ ଦ୍ୱିମତ ନାହିଁ । ରାଜ୍ୟରେ ନବୀନ ସରକାରଙ୍କ ପ୍ରଣୀତ ଅନେକ ଲୋକପ୍ରିୟ ଯୋଜନା ଜାତୀୟସ୍ତରରେ ପ୍ରଶଂସିତ ହୋଇଛି । ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି । ଏ କ୍ରମରେ ନବୀନ ସରକାର ଆଉ ଏକ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତ, ଯାହାକୁ ଏବେ ପ୍ରଶଂସା ସାଉଁଟିବା ଆରମ୍ଭ କଲାଣି ।

ନବୀନ ସରକାରଙ୍କ ନୂଆ କଲ୍ୟାଣକାରୀ ଯୋଜନାର ନାଁ ହେଲା ‘ଗରିମା’ । କୋର୍ ସଫେଇ କର୍ମଚାରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଯେଉଁ ସଫେଇ କର୍ମଚାରୀଙ୍କ ପାଇଁ ଆମେ ଏକ ସ୍ୱଚ୍ଛ ଓ ନିର୍ମଳ ବାତାବରଣରେ ରହିପାରୁଛେ, ସେମାନେ ଆଜି ବି ଉପେକ୍ଷିତ ଓ ଲାଂଛିତ । ସେମାନଙ୍କୁ ଆଜି ବି ସମାଜ ନ୍ୟୁନ ଦୃଷ୍ଟିରେ ଦେଖେ । ଏତଦ୍ ବ୍ୟତୀତ ସଫେଇ କର୍ମଚାରୀମାନେ ଆଜି ବି ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ହୋଇ ରହିଯାଇଛନ୍ତି । ଆଧୁନିକ ସମାଜରେ ବି ସେମାନଙ୍କୁ ଘୃଣ୍ୟ ଓ ନ୍ୟୁନ ମନେ କରାଯାଉଛି । ଏହି କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ‘ଗରିମା’ ଯୋଜନା ଉଦ୍ଦିଷ୍ଟ ।

ସବୁବେଳେ ପରିମଳ କର୍ମଚାରୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଆସିଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମଶତବାର୍ଷିକୀ ବର୍ଷରେ ନବୀନ ସରକାର ‘ଗରିମା’ ଯୋଜନା ଆରମ୍ଭ କରି ବାପୁଙ୍କୁ ଉପ ଯୁକ୍ତ ଶ୍ରଦ୍ଧାଜଂଳି ଦେଇପାରିଛନ୍ତି । ଭାରତରେ ପ୍ରଥମ ଥର ପାଇଁ ପରିମଳ କର୍ମଚାରୀଙ୍କ ଅର୍ଥନୈତିକ ସୁରକ୍ଷା ଓ ସମ୍ମାନ ଲାଗି ଏଭଳି ଏକ ଯୋଜନା କାର୍ଯ୍ୟକାରୀ ହୋଇଛି ।

ଗରିମା ଯୋଜନା ଅନ୍ତର୍ଗତ ବିପଦପୂର୍ଣ୍ଣ ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ନିରାପତା ଓ ମର୍ଯ୍ୟାଦା ଉପରେ ଗୁରୁତ୍ୱ ଦିଆଯାଇଛି । ସେମାନଙ୍କର କଠିନ ଓ ବିପଦପୂର୍ଣ୍ଣ କାମକୁ ସମ୍ମାନ ଜଣାଇ ସ୍ୱତନ୍ତ୍ର ଭତା, ସ୍ୱାସ୍ଥ୍ୟ ସୁବିଧା, ଜୀବନବୀମା , ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହ ନିର୍ମାଣ ଓ ଦୁଇ ଚକିଆ ଗାଡି ପାଇଁ ୯୦ ପ୍ରତିଶତ ଅନୁଦାନ ବ୍ୟବସ୍ଥା କରାଯାଇଛି । ଏହାଛଡା ବ୍ୟକ୍ତିଗତ ସୁରକ୍ଷା ଉପକରଣ , ଅନୁକଂପାମୂଳକ ସହାୟତା, ଇପିଏଫ୍‌, ଇଏସଆଇ ଓ ପରିବାର ପେନସନ୍ ଆଦି ବିଭିନ୍ନ କଲ୍ୟାଣ ଯୋଜନାର ସହାୟତା ଗରିମା ଯୋଜନାରେ ଯୋଗାଇ ଦିଆଯିବ । ସହରାଂଚଳର କୋର୍ ପରିମଳ କାର୍ଯ୍ୟରେ ନିୟୋଜିତ ସମସ୍ତ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଗରିମା ଯୋଜନା । ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟର ସମସ୍ତ ୧୧୪ଟି ପୌରାଚଂଳରେ ଗରିମା ଯୋଜନା କାର୍ଯ୍ୟକାରୀ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନା କାର୍ଯ୍ୟକାରୀ ପାଇଁ ୫୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍‌ର ବ୍ୟବସ୍ଥା କରାଯାଇଛି । ଯୋଜନାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ଓ ଅହମ୍ମଦାବାଦ ସ୍ଥିତ ଅର୍ବାନ ମ୍ୟାନେଜମେଂଟ୍ ସେଂଟର ମଧରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଗରିମା ଯୋଜନାରେ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ ଲକ୍ଷ ପରିବାର ସଦସ୍ୟ ଉପକୃତ ହୋଇପାରିବେ ।

ଭାରତରେ ୫୦ ଲକ୍ଷରୁ ଅଧିକ ସଫେଇ କର୍ମଚାରୀ ବିଭିନ୍ନ ପରିମଳ ସେବାରେ ନିୟୋଜିତ ଅଛନ୍ତି । ଅନେକ କର୍ମଚାରୀ ଶୌଚାଳୟ, ନାଳ, ସିୱେର ସିଷ୍ଟମ, ସେପଟିକ୍ ଟ୍ୟାଙ୍କ୍ , ସେପଟେଜ୍ ଓ ସିୱେଜ୍ ଟ୍ରିଟମେଂଟ୍‌ର ସଫେଇ ଓ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ହୋଇଥାନ୍ତି । ଅତି ଅସୁରକ୍ଷିତ ଓ ଅସମ୍ମାନଜନକ ସ୍ଥିତିରେ ସେମାନେ କାମ କରନ୍ତି । ସିଧାସଳଖ ମଳପଙ୍କ ସଫେଇ କାମରେ ଜଡିତ ହୋଇଥାଆନ୍ତି । କିନ୍ତୁ ଏହି ମହତ କାମକୁ ସ୍ୱୀକୃତି ମିଳିବା ପରିବର୍ତେ ସେମାନେ ସଭ୍ୟ ସମାଜରେ କଳଙ୍କର ଟିକା ବୋହିଥାନ୍ତି । ଯଦିଓ ଦେଶର କିଛି ଆଇନ୍ ସେମାନଙ୍କ ପ୍ରତି ଏଭଳି ବ୍ୟବହାରକୁ ବାରଣ କରିଥିଲେ ମଧ୍ୟ ତାହା କଡାକଡି ଭାବେ କାର୍ଯ୍ୟକାରୀ ହେବାରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଛି । ଓଡିଶା ସରକାରଙ୍କ ‘ଗରିମା’ ଯୋଜନା ଏହି ଅବହେଳିତ ଓ ଲାଂଛିତ ବର୍ଗ ପ୍ରତି ଅଧିକ ସମ୍ବେଦନଶୀଳତାର ସଂକେତ ଦେଉଛି । ବାସ୍ତବିକ କୋର୍ ସଫେଇ କର୍ମଚାରୀଙ୍କ ସାମାଜିକ, ଅର୍ଥନୈତିକ ସୁରକ୍ଷା ସହ ସେମାନଙ୍କ ମର୍ଯ୍ୟାଦା ପ୍ରତି ଦୃଷ୍ଟି ଦେବା ପାଇଁ ନବୀନ ସରକାରଙ୍କ ‘ଗରିମା’ ଆଉ ଏକ ମହତ ପଦକ୍ଷେପରେ ପରିଣତ ହେବାକୁ ଯାଉଛି । ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ ନିଜ ଜୀବନସାରା ପ୍ରାଥମିକତା ଦେଇଆସିଥିବା ମହାତ୍ମା ଗାନ୍ଧିଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରିମା ନିଶ୍ଚିତ ଭାବେ ଏକ ବିନମ୍ର ଶ୍ରଦ୍ଧାଜଂଳି । ନବୀନଙ୍କ ପରି ଏକ ଲୋକପ୍ରିୟ ଦୂରଦୃଷ୍ଟିସମ୍ପର୍ଣ୍ଣ ନେତା ହିଁ ଏଭଳି ଏକ ଯୋଜନା କଥା ଚିନ୍ତା କରିପାରିବେ ।

Comments are closed.