ରଙ୍ଗେଇଲୁଣ୍ଡା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାଶ

ବ୍ରହ୍ମପୁର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଗୋପବନ୍ଧୁ ଦାଶ ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାହା ପଚାରି ବୁଝିଥିଲେ । ଏହାଛଡା ବିଜେଡି ସାଂଗଠନିକ କାର୍ଯ୍ୟକଳାପ ନେଇ ଦଳୀୟ ନେତାଙ୍କ ସହ ବି ସେ ଆଲୋଚନା କରିଛନ୍ତି ।

ଗୋପାଳପୁର ନିର୍ବାଚନମଣ୍ଡଳୀର ସରପଂଚ ଓ ବିଜେଡି କର୍ମୀଙ୍କ ସହ ବୈଠକ କରିଥିଲେ ଗୋପବନ୍ଧୁ ଦାଶ । ସବୁ ଗାଁକୁ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାଛଡା ମିଶନ ଶକ୍ତି କୋଠା ନିର୍ମାଣ, ପାନୀୟ ଜଳ ସୁୁବିଧାର ମଧ୍ୟ ତଦାରଖ କରିଥିଲେ ଗୋପବନ୍ଧୁ ଦାଶ । ଗୃହପାଳତ ପଶୁଙ୍କ ପାଇଁ ପ୍ରତି ପଂଚାୟତରେ ୬ ଏଳର ଜମିରେ ଗୋଶାଳା ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ । ଏଠାରେ ପାଣି ଓ ବିଦ୍ୟୁତ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ କହିଥିଲେ । ସ୍ଥାନୀୟ ଲୋକଙ୍କ ଜୀବିକାରେ ଏହା ସହାୟକ ହୋଇପାରିବେ ବୋଲି କହିଥିଲେ ଗୋପବନ୍ଧୁ ଦାଶ ।

ଦଳର ପ୍ରତ୍ୟେକ ସଦସ୍ୟ ପ୍ରତି ୧୦ଟି ଘର ବୁଲି ସରକାରୀ ଯୋଜନାପ ସୁଫଳ ମିଳୁଛି ନା ନାହିଁ , ତାହା ପଚାରି ବୁଝିବେ ବୋଲି ସେ କହିଥିଲେ । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ପଚାରିବାକୁ ଦଳୀୟ କର୍ମୀ ଓ ସଦସ୍ୟଙ୍କୁ ସେ ପରାମର୍ଶ ଦେଇଛନ୍ତି । ଦଳରେ ଅଧିକ ସଦସ୍ୟଙ୍କୁ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦଳରେ ଏକତା ରଖି ଲୋକଙ୍କ ସେବାରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ ଗୋପବନ୍ଧୁ ଦାଶ ।

ବୈଠଳରେ ବ୍ରହ୍ମପୁର ମହାନଗର ନିଗମର ୫ଟି ୱାର୍ଡର ପ୍ରତିନିଧି, ଗୋପାଳପୁର ଏନଏସିର ୧୧ଟି ୱାର୍ଡ ଓ କୁକୁଡାଖଣ୍ଡି ବ୍ଲକର ୫ଟି ପଂଚାୟତର ପ୍ରତିନିଧି ଯୋଗ ଦେଇଥିଲେ । ରଂଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଉଷାରାଣୀ, ଉପାଧ୍ୟକ୍ଷ ଅଜିତ କୁମାର ଦାଶ, କୁକଡାଖଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶଶୀଭୂଷଣ ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିଲେ ।

ଗୋପବନ୍ଧୁ ଦାଶ ସାନଖେମୁଣ୍ଡି ବ୍ଲକ୍ ଗସ୍ତ କରି ଉନ୍ନୟନ କାମର ସମୀକ୍ଷା କରିଥିଲେ । ଝାଡଙ୍କୁଲି ଅଗ୍ନିକାଣ୍ଡ ବିପନ୍ନଙ୍କ ଘରକୁ ଯାଇ ସେମାନଙ୍କ କଥା ବୁଝିଥିଲେ ଗୋପବନ୍ଧୁ ଦାଶ ।

Comments are closed.