ବ୍ୟାଟ୍ସମ୍ୟାନଙ୍କ ଲଜ୍ଜାଜନକ ପ୍ରଦର୍ଶନ: ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସର୍ବନିମ୍ନ ସ୍କୋର

ଆଡିଲେଡ୍ – ଦିବାରାତ୍ର ଟେଷ୍ଟର ତୃତୀୟ ଦିବସରେ ଅଷ୍ଟ୍ରେଲୀୟ ପେସରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଛନ୍ତି । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନରେ ଅଟକି ଯାଇଛି । ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ହେଉଛି ଭାରତର ସର୍ବନିମ୍ନ ସ୍କୋର । ପ୍ୟାଟ୍ କମିନ୍ସଙ୍କ ବଲରେ ମହମ୍ମଦ ସାମି ଆହତ ହୋଇ ରିଟାୟର ହର୍ଟ ହେବା ପରେ ଭାରତର ଦ୍ୱିତୀୟ ଇନିଂସ୍ ୩୬/୯ରେ ଶେଷ ହୋଇଛି । ଫଳରେ ପ୍ରଥମ ଟେଷ୍ଟ ଜିତିବାକୁ ଅଷ୍ଟ୍ରେଲିଆ ଆଗରେ କେବଳ ୯୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଏହାପୂର୍ବରୁ ଭାରତର ସର୍ବନିମ୍ନ ସ୍କୋର ଥିଲା ୪୨ ରନ୍ । ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ସ୍କୋର କରିଥିଲା । ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା । କେହି ଜଣେ ହେଲେ ବି ଦୁଇଅଙ୍କ ଛୁଇଁ ପାରିନଥିଲେ । ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୯/୧ରୁ ଖେଳ ଆରମ୍ଭ କରି ଭାରତ ଆଜି ଲଞ୍ଚ୍ ବ୍ରେକ୍ ପୂର୍ବରୁ ୩୬ ରନରେ ସୀମିତ ରହିଥିଲା । ଅଷ୍ଟ୍ରେଲିଆ ତରଫରୁ ଜୋସ ହାଜଲଉଡ୍ ୫ଟି ଓ ପ୍ୟାଟ୍ କମିନ୍ସ ୪ଟି ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ ଲାଇନଅପକୁ ଧରାଶୟୀ କରିଥିଲେ । ଉଲ୍ଲେଖଯୋଗ୍ୟ ପ୍ରଥମ ଇନିଂସରେ ଭାରତ ୨୪୪ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୧ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ।

Comments are closed.