ସୁପ୍ରିମକୋର୍ଟ ଇ-ମେଲ୍‌ରେ ବି ମୋଦିଙ୍କ ଫଟୋ, ଆଇନଜୀବୀଙ୍କ ଆପତ୍ତି ପରେ ହଟିଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍ ଆଇଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନେଇ କିଛି ବରିଷ୍ଠ ଆଇନଜୀବୀ ଆପତ୍ତି ଉଠାଇଛନ୍ତି । ସୁପ୍ରିମକୋର୍ଟ ବ୍ୟବହାର କରୁଥିବା ଇ-ମେଲ୍ ଆଇଡିର ଫୁଟରରେ ମୋଦିଙ୍କ ଫଟୋ ସହ ‘ସବ୍‌କା ସାଥ୍ ସବ୍‌କା ବିଶ୍ୱାସ’ ସ୍ଲୋଗାନ୍ ରହିଛି । ହେଲେ ଆଇନଜୀବୀଙ୍କ ଆପତ୍ତି ପରେ କେନ୍ଦ୍ର ସରକାର ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ଏନ୍‌ଏଚ୍‌ଆର୍‌ସିର ଅଫିସିଆଲ ଇ-ମେଲ୍ ଆଇଡିରେ ମଧ୍ୟ ମୋଦିଙ୍କ ଫଟୋ ଓ ‘ସବ୍‌କା ସାଥ୍‌’ ସ୍ଲୋଗାନ ରହିଛି । ଏହା ଦ୍ୱାରା ଏନ୍‌ଏଚ୍‌ଆର୍‌ସିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିବ ବୋଲି ଉକ୍ତ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ନ୍ୟାସନାଲ୍ ଇନଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି) ଉଭୟ ସୁପ୍ରିମକୋର୍ଟ ଓ ଏନ୍‌ଏଚ୍‌ଆର୍‌ସିକୁ ଇ-ମେଲ ସେବା ଯୋଗାଇଥାଏ । ତେବେ ଏଥିରେ କେନ୍ଦ୍ର ସରକାର ନିଜର ବିଜ୍ଞାପନ ପ୍ରକାଶ କରିବା ନେଇ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟ ଓ ଏନ୍‌ଏଚ୍‌ଆର୍‌ସିର ଅଫିସିଆଲ ଇ-ମେଲ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହ କେନ୍ଦ୍ର ସରକାରଙ୍କ ‘ଆଜାତୀ କି ଅମୃତ ମହୋତ୍ସବ’ର ବିଜ୍ଞାପନ ରହିଛି । ଏନେଇ ସୁପ୍ରିମକୋର୍ଟର କିଛି ବରିଷ୍ଠ ଓକିଲ ଆପତ୍ତି ଉଠାଇଥିଲେ । ସୁପ୍ରିମକୋର୍ଟଙ୍କ ଇ-ମେଲ୍‌ରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଲେ ନ୍ୟାୟପାଳିକାର ନିରପକ୍ଷେତା ଉପରେ ପ୍ରଶ୍ନ ଉଠିବ ବୋଲି ସେମାନେ ଅଭିଯୋଗ କରିଥିଲେ । ପ୍ରତିବାଦ ପରେ ସୁପ୍ରିମକୋର୍ଟ ଇ-ମେଲ ଆଇଡିରୁ ମୋଦିଙ୍କ ଫଟୋ ଓ ବିଜ୍ଞାପନ ହଟାଇବାକୁ ଏନ୍‌ଆଇସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି । ମୋଦିଙ୍କ ଫଟୋ ବଦଳରେ ଇ-ମେଲ୍ ଫୁଟର୍‌ରେ ସୁପ୍ରିମକୋର୍ଟ ଫଟୋ ବ୍ୟବହାର କରିବାକୁ ଏନ୍‌ଆଇସିକୁ କୁହାଯାଇଛି ।

Comments are closed.