ଏକାଠି ହେବେ କି ଦାଦା-ପୁତୁରା ? ଶରଦ ପାୱାରଙ୍କୁ ପୁଣି ଭେଟିଲେ ଅଜିତ ପାୱାର ଓ ବିଦ୍ରୋହୀ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ବିଦ୍ରୋହୀ ଗୋଷ୍ଠୀର ଏନସିପି ବିଧାୟକମାନେ ଲଗାତାର ଦ୍ୱିତୀୟ ଦିନ ପାର୍ଟି ସଭାପତି ଶରଦ ପାୱାରଙ୍କୁ ଭେଟିଛନ୍ତି | ମୁମ୍ବାଇର ଓ୍ବାଇଭି ଚଭନ ସେଣ୍ଟରରେ ସୋମବାର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ଦାଦା-ପୁତୁରାଙ୍କ ମଧ୍ୟରେ ବିବାଦର ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି ।

ଅଜିତ ପାୱାର ଏହା ପୂର୍ବରୁ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଲ, ଆଦିତ୍ୟ ଟାଟକେରେ ଏବଂ ହାସନ ମଶ୍ରିଫଙ୍କ ସହ ରବିବାର ପାୱାରଙ୍କୁ ଭେଟିଥିଲେ । ଏହି ସମୟରେ ଶରଦ ପାୱାର ଗୋଷ୍ଠୀର ଜୟନ୍ତ ପାଟିଲ ଏବଂ ଜିତେନ୍ଦ୍ର ଆହାଦ ମଧ୍ୟ ଉପସ୍ଥିତ ଥିଲେ।

ସୋମବାର ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏନସିପିର ୫୩ଟି ବିଧାୟକଙ୍କ ମଧ୍ୟରୁ ୨୭ ଜଣ ବିଧାୟକ ଯୋଗ ଦେଇନଥିଲେ। ଏନସିପି ବିଧାୟକ ନଓ୍ବାବ ମଲିକ ସମ୍ପ୍ରତି ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି।

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଯୋଗ ଦେଇଥିବା ୨୪ ଏନସିପି ବିଧାୟକଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଲ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ଆଦିତ୍ୟ ଟାଟକେରେ, ସଞ୍ଜୟ ବାଂସୋଦ, ଧନଞ୍ଜୟ ମୁଣ୍ଡେ, ଅନିଲ ପାଟିଲ ଏବଂ ଧର୍ମାରୋ ଅଟ୍ରମ ପ୍ରମୁଖ ଶାସକ ଦଳ ଆସନରେ ବସିଥିଲେ। ଅଜିତ ପାୱାରଙ୍କୁ ସମର୍ଥନ ଜଣାଇ ଗୃହରେ ଉପସ୍ଥିତ ଥିବା ଅନ୍ୟ ବିଧାୟକମାନେ ହେଲେ ବବଧରାଓ ସିନ୍ଦେ, ଇନ୍ଦ୍ରାନିଲ ନାୟକ, ପ୍ରକାଶ ସୋଲାଙ୍ଖେଲ କିରଣ ଲାହମାଟେ, ସୁନୀଲ ଶେଲକେ ଏବଂ ସରୋଜ ଅହିରେ।

ଉଲ୍ଲେଖଯୋଗ୍ୟ ଜୁଲାଇ ୨ରେ ଅଜିତ ପାଓ୍ବାର ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ନିଜ ସମର୍ଥକଙ୍କ ସହ ସିନ୍ଦେ ସରକାରରେ ଯୋଗ ଦେଇଥିଲେ ।

Comments are closed.