ଆଉ କିଛି ସମୟ ମଧ୍ୟରେ ଜେଲରୁ ବାହାରିବେ ଆର୍ୟନ୍, ପୁଅକୁ ନେବାକୁ ପହଞ୍ଚିଲେ ଶାହରୁଖ

ମୁମ୍ବାଇ:ଜାମିନ ପାଇବାର ଦୁଇ ଦିନ ପରେ ଆଜି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିବେ । ଜାମିନ ପାଇବା ପରେ ମଧ୍ୟ ଆଇନଗତ ଔପଚାରିକତା ପୂରଣରେ ବିଳମ୍ବ ଯୋଗୁଁ ଆର୍ୟନଙ୍କୁ ଦୁଇ ରାତି ଜେଲରେ ବିତାଇବାକୁ ପଡିଥିଲା। ତେବେ ଆର୍ୟନ ଆଉ କିଛି ସମୟ ମଧ୍ୟରେ ଜେଲରୁ ବାହାରିବେ। କୋର୍ଟଙ୍କ ଆଦେଶ ପାଇବା ପାଇଁ ଆର୍ଥର ରୋଡ ଜେଲର ବେଲ୍ ବକ୍ସ ଆଜି ସକାଳ ୫:୩୦ ରେ ଖୋଲା ଯାଇଥିଲା। ବର୍ତ୍ତମାନ ଆଶା କରାଯାଉଛି ଯେ ଜେଲର ଔପଚାରିକତା ପୂରଣ ହେବା ପରେ ଆଜି ଅପରାହ୍ନ ସୁଦ୍ଧା ଆର୍ଯ୍ୟନ୍ ଖାନଙ୍କୁ ମୁକ୍ତ କରାଯିବ। ଶାହାରୁଖ ମଧ୍ୟ ଆର୍ୟନଙ୍କୁ ନେବା ପାଇଁ ଆର୍ଥର ରୋଡ୍ ଜେଲ୍ ପହଞ୍ଚଛନ୍ତି ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ସେସନ୍ସ କୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆର୍ୟନ ଓ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧମେଚା ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ‌। ଅକ୍ଟୋବର ୨୮ରେ ହାଇକୋର୍ଟ ଏହି ତିନି ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ ।

ଆର୍ୟନ ଖାନ ଜାମିନ ପାଇଥିଲେ ମଧ୍ୟ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଛନ୍ତି। ଏହି ସବୁ ସର୍ତ୍ତ ଆର୍ୟନଙ୍କୁ ପାଳନ କରିବାକୁ ପଡ଼ିବ ‌। ସର୍ତ୍ତ ଉଲ୍ଲଂଘନ କଲେ ତାଙ୍କ ଜାମିନ ରଦ୍ଦ ହୋଇପାରେ ।

ଆର୍ୟନ ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ମୁମ୍ବାଇ ଛାଡି ପାରିବେ ନାହିଁ। ଏ‌ହାଛଡା ପ୍ରତି ଶୁକ୍ରବାର ଦିନ ୧୧ ଟାରୁ ୨ ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ହାଜିରା ପକାଇବାକୁ ପଡିବ | ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିବାକୁ ପଡିବ ନାହିଁ | ସେ ତଦନ୍ତ ସହ ଜଡିତ କୌଣସି କଥା ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ସେୟାର କରାଯାଇପାରିବ ନାହିଁ | ଆର୍ଯ୍ୟନଙ୍କୁ ତାଙ୍କ ପାସପୋର୍ଟକୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ କରିବାକୁ ପଡିବ।
କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରିବେ ନାହିଁ |

ଯଦି କୌଣସି ସର୍ତ୍ତ ଉଲ୍ଲଂଘନ ହୁଏ, ତେବେ ଆର୍ୟନଙ୍କ ଜାମିନ ରଦ୍ଦ କରିବାକୁ ଏନସିବି ଆବେଦନ କରିପାରିବ ।

Comments are closed.