ଅଷ୍ଟ୍ରେଲିଆ ପ୍ରଥମ ଥର ୨୦ ବିଶ୍ୱ ଚାମ୍ପିୟନ, ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ‌ ହରାଇଲା

ଦୁବାଇ: ଶେଷରେ ଅଷ୍ଟ୍ରେଲିଆର ଅବଶୋଷ ପୂରଣ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମ ଥର ଟି୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି । ରବିବାର ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଅଷ୍ଟ୍ରେଲିଆ ସହଜରେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଟି୨୦ ଫର୍ମାଟରେ ନୂଆ ବିଶ୍ୱ ଚାମ୍ପିୟନ ହୋଇଛି । ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ପାଳି ଅଷ୍ଟ୍ରେଲିଆକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ଅଷ୍ଟ୍ରେଲିଆ ରେକର୍ଡ ୫ଥର ଦିନିକିଆ ଚାମ୍ପିୟନ ହୋଇଥିଲେ ମଧ୍ୟ ଟି୨୦ ବିଶ୍ୱ ଟାଇଟଲ ଜିତିପାରିନଥିଲା । ଏଥର ଏହି ଲକ୍ଷ୍ୟ ହାସଲରେ ଦଳ ସଫଳ ହୋଇଛି ।

ଅଧିନାୟକ କେନ୍ ୱିଲିୟମସନଙ୍କ ଚମତ୍କାର ଇନିଂସ୍ ସହାୟତାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା । ତେବେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟକୁ ୭ଟି ବଲ୍ ବାକିଥାଇ ହାସଲ କରିନେଇଥିଲା । ୧୭୩ ରନ୍ ଜବାବରେ ଅଷ୍ଟ୍ରେଲିଆ ଶୀଘ୍ର ଅଧିନାୟକ ଫିଞ୍ଚ୍‌(୫)ଙ୍କ ୱିକେଟ୍ ହରାଇଥିଲା । ହେଲେ ୱାର୍ଣ୍ଣର ଓ ମାର୍ଶ ନ୍ୟୁଜିଲାଣ୍ଡ ଆଶା ଧୂଳିସାତ୍ କରିଦେଇଥିଲେ । ୱାର୍ଣ୍ଣର ତାଙ୍କ ଜବରଦସ୍ତ ଫର୍ମ ଜାରି ରଖି ୩୮ଟି ବଲରେ ୪ଟି ଚୌକା ଓ ୩ଟି ଛକା ସହ ୫୩ ରନ୍ କରିଥିବା ବେଳେ ମାର୍ଶ ମାତ୍ର ୫୦ ବଲରେ ୬ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ୭୭ ରନର ପାଳି ଖେଳିଥିଲେ । ତାଙ୍କ ସହ ଗ୍ଲେନ ମାକ୍ସୱେଲ ୨୮ ରନ୍ କରି ନଟ୍ ଆଉଟ୍ ରହିଥିଲେ । ଟୁର୍ଣ୍ଣାମେଣ୍ଟରେ ପ୍ରାୟ ସବୁ ମ୍ୟାଚରେ ଶାଣିତ ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡ ବୋଲର ଆଜି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବାରେ ବିଫଳ ହୋଇଥିଲେ ।

ୱିଲିୟମସନଙ୍କ ଦଳକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି । ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ନ୍ୟୁଜିଲାଣ୍ଡର ଆରମ୍ଭ ସେଭଳି ଖାସ୍ ହୋଇନଥିଲା । ଦୁଇ ଓପନର ମାର୍ଟିନ୍ ଗପ୍ଟିଲ ଓ ଡାରିଲ ମିଚେଲ ପ୍ରଥମ ୱିକେଟ୍ ପାଇଁ କେବଳ ୨୮ ରନ୍ ଯୋଗ କରିପାରିଥିଲେ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିଜର ହିରୋ ସାଜିଥିବା ମିଚେଲ ମାତ୍ର ୧୧ ରନ୍ କରି ଜୋସ ହାଜଲଉଡଙ୍କ ବଲରେ ୱିକେଟକିପର ମାଥ୍ୟୁ ୱେଡଙ୍କୁ କ୍ୟାଚ୍ ଦେଇଥିଲେ । ଏହାପରେ କ୍ରିଜରେ ଗପ୍ଟିଲଙ୍କ ସହ ଯୋଗ ଦେଇଥିଲେ ଅଧିନାୟକ କେନ୍ ୱିଲିୟମସନ୍ । ତେବେ ମିଚେଲଙ୍କ ୱିକେଟ୍ ଶୀଘ୍ର ହରାଇବା ପରେ ନ୍ୟୁଜିଲାଣ୍ଡ ରନ୍ ରେଟ୍ ଧିମେଇ ଯାଇଥିଲା । ପାୱାର ପ୍ଲେ’ରେ ନ୍ୟୁଜିଲାଣ୍ଡର ଗୋଟିଏ ୱିକେଟ୍ ହରାଇ ମାତ୍ର ୩୨ ରନ୍ କରିଥିଲା, ଯାହା ଟୁର୍ଣ୍ଣାମେଣ୍ଟରେ ଦଳର ସବୁଠୁ କମ୍ ପାୱାରପ୍ଲେ ସ୍କୋର ଥିଲା । ଏବଂ ୧୦ ଓଭର ବେଳକୁ ଦଳ ୫୭ ରନ୍ କରିଥିଲା । ଗପ୍ଟିଲ ମଧ୍ୟ ସଂଘର୍ଷ କରିଥିଲେ । ସେ ୩୫ ବଲରେ ୨୮ ରନ୍ କରିବା ପରେ ଲେଗ୍ ସ୍ପିନର ଆଡାମ୍ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ ।
୧୨ତମ ଓଭରରେ ଗପ୍ଟିଲ ଆଉଟ୍ ହେବା ବେଳକୁ ନ୍ୟୁଜିଲାଣ୍ଡର ସ୍କୋର ଥିଲା ୭୬/୨ । ମନେ ହେଉଥିଲା ନ୍ୟୁଜିଲାଣ୍ଡ ଉପରେ ଅଷ୍ଟ୍ରେଲିଆ ଆହୁରି ଚାପ ପକାଇ ଏକ ସାଧାରଣ ସ୍କୋରରେ ସୀମିତ ରଖିବ । ହେଲେ ପୂରା ଟୁର୍ଣ୍ଣାମେଣ୍ଟରେ ସେଭଳି ଖାସ୍ ପ୍ରଦର୍ଶନ କରିନଥିବା ୱିଲିୟମସନ୍ ନିଜ ଚମକ ଦେଖାଇଥିଲେ । ତେବେ ତାଙ୍କୁ ଭାଗ୍ୟଦେବୀ ମଧ୍ୟ ସହାୟ ହୋଇଥିଲେ । ସେ ୧୭ ରନ୍ କରିଥିବା ବେଳେ ତାଙ୍କର ଏକ କ୍ୟାଚକୁ ଜୋସ ହାଜଲଉଡ୍ ବାଉଣ୍ଡରୀ ଲାଇନ୍ ପାଖରେ ଛାଡ଼ି ଦେଇଥିଲେ । ଏହାର ଫାଇଦା ଉଠାଇଥିଲେ ୱଲିୟମସନ୍ । ବିଶେଷକରି ୧୬ତମ ଓଭରରେ ନିଜ ଗିୟର ବଦଳାଇଥିଲେ । ମିଚେଲ ଷ୍ଟାର୍କଙ୍କ ଉକ୍ତ ଓଭରରେ ୱିଲିୟମସନ୍ ମୋଟ ୨୨ ରନ୍ ସଂଗ୍ରହ କରିଥିଲେ । ସେ ଶୀଘ୍ର ତାଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ । ଗ୍ଲେନ୍ ଫିଲିପ୍ସଙ୍କ ସହ ମିଶି ୱିଲିୟମସନ୍ ତୃତୀୟ ୱିକେଟ ଭାଗିଦାରୀରେ ୬୮ ରନ୍ ଯୋଗ କରିଥିଲେ । ଏଥିମଧ୍ୟର ଫିଲିପ୍ସଙ୍କ ଯୋଗଦାନ ଥିଲା ୧୮ ରନ୍ । ଏହି ଯୋଡ଼ି ଭାଙ୍ଗିଥିଲେ ହାଜଲଉଡ୍ । ସେ ୧୮ତମ ଓଭରରେ ଫିଲିପ୍ସ ଓ ୱିଲିୟମସନଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ଆଶ୍ୱସ୍ତି ଦେଇଥିଲେ । ୱିଲିୟମସନ ମାତ୍ର ୪୮ ବଲରେ ୧୦ଟି ଚୌକା ଓ ୩ଟି ଛକା ସହ ଚମତ୍କାର ୮୫ ରନ୍ କରିଥିଲେ । ଟି୨୦ ବିଶ୍ୱକପ ଫାଇନାଲରେ ଏହା ହେଉଛି ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏଥିସହ ୱିଲିମସନ୍ ୱେଷ୍ଟଇଣ୍ଡିଜର ମାର୍ଲୋନ୍ ସାମୁଏଲ୍ସଙ୍କ ସହ ସମକକ୍ଷ ହୋଇଥିଲେ । ସାମୁଏଲ୍ସ ଇଂଲଣ୍ଡ ବିପକ୍ଷ ୨୦୧୬ ସଂସ୍କରଣ ଫାଇନାଲରେ ମଧ୍ୟ ୮୫ ରନ୍ କରିଥିଲେ ।

ନ୍ୟୁଜିଲାଣ୍ଡ ଶେଷ ୫ ଓଭରରେ ୫୭ ରନ୍ ସଂଗ୍ରହ କରିଥିଲା । ଜେମ୍ସ ନିଶମ୍ ୭ଟି ବଲରେ ୧୩ ଓ ଟିମ୍ ସାଇଫର୍ଟ ୮ ରନ୍ କରି ଅପରାଜିତ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା, ଯାହା ଟି୨୦ ବିଶ୍ୱକପ୍ ଫାଇନାଲ ଇତିହାସରେ ସର୍ବୋଚ୍ଚ ସ୍କୋର । ଅଷ୍ଟ୍ରେଲିଆ ପକ୍ଷରୁ ହାଜଲଉଡ୍ ସବୁଠୁ ସଫଳ ବୋଲର ଭାବେ ୧୬ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ ।

Comments are closed.