ତାଇୱାନ ଗସ୍ତ ନେଇ ନାନ୍ସି ପେଲୋସିଙ୍କ ଉପରେ କଟକଣା ଲଗାଇଲା ଚୀନ୍

ବେଜିଂ: ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଆମେରିକା ସଂସଦ ‘କଂଗ୍ରେସ’ର ବାଚସ୍ପତି ନାନ୍ସି ପେଲୋସି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ କଟକଣା ଲଗାଇଛି । ଏହାଛଡ଼ା ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆମେରିକା ସହ ଆଲୋଚନା ସ୍ଥଗିତ ରଖିଛି । ପେଲୋସି ଗଭୀର ଉଦବେଗ ଏବଂ ଦୃଢ଼ ବିରୋଧକୁ ଉପେକ୍ଷା କରି ତାଇୱାନ ଗସ୍ତ କରିବାକୁ ଜିଦ୍ ଧରିଥିଲେ ବୋଲି ଚୀନ୍ ଅଭିଯୋଗ କରିଛି । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପେଲୋସିଙ୍କ ତାଇଓ୍ବାନ୍ ଗସ୍ତ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଏବଂ ଚୀନ୍‌ର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ । ପେଲୋସିଙ୍କ ଗସ୍ତ ‘ଏକ ଚୀନ୍ ନୀତି”ର ଅବମାନନା ଏବଂ ତାଇୱାନ ତଟୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି।

ଚୀନ୍‌ର ଧମକକୁ ଖାତିର ନକରି ପେଲୋସି ଗତ ଶନିବାର ତାଇୱାନ ଗସ୍ତରେ ଯାଇଥିଲେ। ପେଲୋସିଙ୍କ ଗସ୍ତ ପରଠାରୁ ଚୀନର କ୍ରୋଧ ଚରମରେ ପହଞ୍ଚିଛି ଏବଂ ତାଇଓ୍ବାନ ସୀମା ନିକଟରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଏହାଛଡ଼ା ଚୀନ୍ ୟୁରୋପୀୟ ୟୁନିଅନର ସଦସ୍ୟ ଥିବା ୭ଟି ଦେଶର ରାଷ୍ଟ୍ରଦୂତଙ୍କୁ ସମନ କରିଛି । ୟୁରୋପୀୟ ୟୁନିଅନର ଏହି ୭ଟି ରାଷ୍ଟ୍ର ଜାରି କରିଥିବା ବିବୃତ୍ତିକୁ ଚୀନ୍ ବିରୋଧ କରିଛି। ଏହି ଦେଶଗୁଡିକ ପକ୍ଷରୁ ମିଳିତ ବିବୃତ୍ତିରେ କୁହାଯାଇଛି ଯେ ତାଇୱାନ ସୀମାରେ ଚୀନ୍‌ର ସାମରିକ ଅଭ୍ୟାସ ଭୁଲ ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ଅନ୍ୟପକ୍ଷରେ ଚୀନ୍ କହିଛି ଯେ ଏହି ବିବୃତ୍ତି ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ।

ଗୋଟିଏ ପଟେ ଚୀନ୍ ପେଲୋସି ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଅନ୍ୟପକ୍ଷରେ ସେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ପେଲୋସିଙ୍କୁ ଭେଟି କିଶିଦା କହିଛନ୍ତି ଯେ ତାଇୱାନକୁ ଟାର୍ଗେଟ କରି ଚୀନ୍‌ର ସାମରିକ ଅଭ୍ୟାସ ଏକ ଗୁରୁତର ସମସ୍ୟାକୁ ଦର୍ଶାଉଛି ଯାହା ଆଞ୍ଚଳିକ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ଜାପାନର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚୀନ୍ ନିକ୍ଷେପ କରିଥିବା ପାଞ୍ଚଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଜାପାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନରେ ପଡିଛି।

Comments are closed.