ସଜ୍ଜନ ଜିନ୍ଦଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଜଗତସିଂହପୁରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଜେଏସଡବ୍ଲୁ ପ୍ରକଳ୍ପ କାମ, ଭେଲ୍ୟୁ ଏଡିସନ ଉପରେ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଖୁବ୍ ଶୀଘ୍ର ଜଗତସିଂହପୁରରେ ଆରମ୍ଭ ହେବ ଜେଏସଡବ୍ଲୁ ର ପ୍ରକଳ୍ପ କାର୍ଯ୍ୟ । ଜଗତସିଂହପୁରର ଜଟାଧରରେ ୧୩ ଦଶମିକ ୨ ଏମଟିପିଏର ସମନ୍ୱିତ ଇସ୍ପାତ କାରଖାନା ପ୍ରକଳ୍ପ କରିବ ଜିନ୍ଦଲ ଷ୍ଟିଲ୍ । ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟ କ୍ଷତାରେ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଜେଏଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ସହ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ଜଳ ଓ ବିଦ୍ୟୁତ ଯୋଗାଇ ଦେଇଛନ୍ତି । ସଜ୍ଜନ ଜିନ୍ଦଲଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିତରେ ଥିବା ସମ୍ବଳର ଭେଲ୍ୟୁ ଏଡିସନ ଉପରେ ଗୁରୁତ୍ୱ ଦେଇଥିଲେ , ଯାହା ଫଳରେ କି ରାଜ୍ୟରେ ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ଆଦାୟ ହୋଇପାରିବ । 

ପ୍ରକଳ୍ପ କାମ ଆଗେଇ ନେବା ଲାଗି ରାଜ୍ୟ ସରକାରଙ୍କଠାରୁ ସବୁ ସୁବିଧା ସହଯୋଗ ମିଳୁଛି ବୋଲି ସଜ୍ଜନ ଜିନ୍ଦଲ କହିଛନ୍ତି । ଆଗାମୀ ୧୦ ବର୍ଷ ମଧ୍ୟରେ ଓଡିଶାରେ ଲକ୍ଷେ କୋଟି ଟଙ୍କା ନିବେଶ କରିବ କଂପାନି । ରାଜ୍ୟରେ କଂପାନି ସବୁ ପ୍ରକଳ୍ପ କାମ ଶେଷ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସଜ୍ଜନ ଜିନ୍ଦଲ କହିଥିଲେ । ସମ୍ବଲପୁର ଆଇଆଇଏମ୍ ଓ ଜେଏସଡବ୍ଲୁ ସହାୟତାରେ ଏକ ସ୍କୁଲ୍ ପ୍ରତିଷ୍ଠା ହେଉଥିବା ନେଇ ସୂଚନା ଦେଇଛନ୍ତି ଜିନ୍ଦଲ । ଏହି ଅନୁଷ୍ଠାନ ଦୀର୍ଘମିଆଦୀ ଶିକ୍ଷା ବିକାଶରେ ସହାୟକ ହେବ ବୋଲି ସଜ୍ଜନ କହିଛନ୍ତି ।

Comments are closed.