ଡ୍ରଗ୍ସ ମାମଲା: ଅଭିଯୁକ୍ତଙ୍କୁ ସହାୟତା ଅଭିଯୋଗରେ ଏନସିବିର ଦୁଇ ଅଧିକାରୀ ନିଲମ୍ବିତ

ମୁମ୍ବାଇ – ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ନିଜର ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, ତାଙ୍କ ସ୍ୱାମୀ ହର୍ଷ ଏବଂ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ଜାମିନ ପାଇବାରେ ସେମାନଙ୍କର ଭୂମିକା ସନ୍ଦେହ ଘେରରେ ଥିବାରୁ ମୁମ୍ବାଇ ଏନସିବିର ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଏହା ବ୍ୟତୀତ ଏଥିରେ ଏନସିବି ଓକିଲଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ କରାଯାଉଛି। କାରଣ ଅଭିଯୁକ୍ତ ସେଲିବ୍ରିଟି ମାନଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଏନସିବି ଓକିଲମାନେ ହାଜର ହେଉନଥିଲେ । ଯେଉଁ କାରଣରୁ ଏନସିବି ନିଜ ପକ୍ଷ ରଖିପାରିନଥିଲା । ନିଲମ୍ବିତ ଦୁଇ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ନିକଟରେ ଏନସିବି ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଘରୁ ପ୍ରାୟ ୮୬.୫ ଗ୍ରାମ ଗଞ୍ଜେଇ ଉଦ୍ଧାର କରିଥିଲା। ଏହା ପରେ ଭାରତୀ ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ତେବେ ଏହି ମାମଲାରେ ଉଭୟଙ୍କୁ ସହଜରେ ଜାମିନ ମିଳିଥିଲା । କାରଣ କୋର୍ଟରେ କୌଣସି ଏନସିବି ଅଧିକାରୀ କିମ୍ବା ଓକିଲ ଉପସ୍ଥିତ ନଥିଲେ। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା ।

Comments are closed.