ପଞ୍ଜାବରେ ‘ଝାଡୁ ସଫଳତା’ର ପ୍ରମୁଖ କାରଣ

ବିଜନ କୁମାର ମହାପାତ୍ର

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବାଜିମାତ୍ ନିଶ୍ଚିତ ଭାବେ ସେହି ଦଳ ପାଇଁ ସବୁଠାରୁ ଉଲ୍ଲେଖନୀୟ ନିର୍ବାଚନୀ ସଫଳତା ହୋଇ ରହିବ । ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ କ୍ଷମତା ଅକ୍ତିଆର କରିବାରେ ସଫଳ ହୋଇଛି ଅରବିନ୍ଦ କେଜରୀୱାଲଙ୍କ ମାତ୍ର ୧୦ ବର୍ଷର ପୁରୁଣା ଦଳ । କଂଗ୍ରେସ, ଶିରୋମଣି ଅକାଳୀ ଦଳ ଓ ବିଜେପିର ଚ୍ୟାଲେଞ୍ଜକୁ ପ୍ରତିହତ କରି ବିଧାନସଭାରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବ ଆମ୍ ଆଦମୀ ପାର୍ଟି । ଆସନ ସଂଖ୍ୟା ଦୃଷ୍ଟିରୁ ଆପ୍ ଅନ୍ୟଦଳମାନଙ୍କଠାରୁ ଢେର ଆଗରେ । କଂଗ୍ରେସ, ବିଜେପି ଓ ଅକାଳୀ ଏବଂ ଅନ୍ୟମାନଙ୍କର ଆସନ ସଂଖ୍ୟା ମିଶିଲେ ବି ଆମ୍ ଆଦମୀ ପାର୍ଟି ଜିତିଥିବା ଆସନର ଅଧା ହେବ ନାହିଁ । ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନଠାରୁ ଅଧିକ ଆସନ ଜିତିଛି ଆପ୍ ।

ତେବେ, କାହିଁକି ପଞ୍ଜାବରେ ଏଥର ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ଶିରୋମଣି ଅକାଳୀ ଦଳ ଭଳି ପାରମ୍ପରିକ ଦଳ ଉପରେ ଭାରୀ ପଡିଲା ? ଏହି ଦୁଇ ଦଳ ହିଁ ପଞ୍ଜାବରେ ଗତ ୭ ଦଶକ ଧରି ଶାସନ କରିଆସୁଥିଲେ । ପଞ୍ଜାବରେ ‘ଝାଡୁ ମ୍ୟାଜିକ୍‌’ କାଟୁ କରିବା ପଛରେ ଏକାଧିକ କାରଣ ରହିଛି ।

ପରିବର୍ତ୍ତନ ସପକ୍ଷରେ ହାୱା

ପଞ୍ଜାବରେ ଶାସନ କ୍ଷମତା ଶିରୋମଣି ଅକାଳୀ ଦଳ ଓ କଂଗ୍ରେସ ମଧ୍ୟରେ ରହିଆସିଥିଲା । ଏହି ଦୁଇ ଦଳ ହିଁ ଦଶକ ଦଶକ ଧରି ପଞ୍ଜାବ ରାଜନୀତିରେ ନିଜର ପତିଆରା ପ୍ରଦର୍ଶନ କରି ବିଭିନ୍ନ ସମୟରେ କ୍ଷମତା ଅକ୍ତିଆର କରିଆସିଛନ୍ତି । ଏନଡିଏରୁ ଓହରି ଆସିଥିବା ଅକାଳୀ ଦଳ ପ୍ରତି ଏହାର ଚିର ଶତ୍ରୁ କଂଗ୍ରେସ ଏଥର ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରିଥିଲା ବୋଲି ଅଭିଯୋଗ ହୋଇଥିଲା । ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ମଧ୍ୟ ଅକାଳୀମାନଙ୍କ ପ୍ରତି ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ନରମ ମନୋଭାବ ପୋଷଣ କରଥିବା ଅଭିଯୋଗ ହୋଇଥିଲା । ଦୁଇ ଦଳ ମଧ୍ୟରେ ଭିତିରିଆ ବୁଝାମଣା ସୃଷ୍ଟି ହୋଇଛି ବୋଲି ଧାରଣା ସୃଷ୍ଟି ହେଲା । କଂଗ୍ରେସ ଓ ଅକାଳୀ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ଲୋକେ ବିଶ୍ୱାସ କରିବାକୁ ଲାଗିଲେ । ତେଣୁ ଏହି ଦୁଇଟି ଦଳ ବିରୋଧରେ ଜନମତର ହାୱା ବହୁଥିଲା । ଆଉ ଆମ୍ ଆଦମୀ ପାର୍ଟି ଦୁଇ ଦଳର ଏକ ଭଲ ବିକଳ୍ପ ଭାବେ ନିଜକୁ ବେଶ୍ ଚତୁରତାର ସହ ଉପସ୍ଥାପନ କରିଥିଲା ।

ଭଗବନ୍ତ ସିଂହ ମାନ ମୁଖ୍ୟମନ୍ତ୍ରୀ ଚେହେରା

୨୦୧୭ ମସିହାରେ ମଧ୍ୟ ଆମ୍ ଆଦମୀ ପାର୍ଟି ପଞ୍ଜାବ ବିଧାନସଭା ନିର୍ବାଚନ ଲଢିଥିଲା । ସେହି ନିର୍ବାଚନରେ ଦଳ ୧୧୨ ଆସନରେ ଲଢି ୨୦ଟିରେ ବିଜୟୀ ହୋଇଥିଲା । ଭୋଟ୍ ସେୟାର ଥିଲା ୨୩ ଦଶମିକ ୭ ପ୍ରତିଶତ । କିନ୍ତୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କାହାକୁ ଉପସ୍ଥାପନ କରି ନ ଥିବାରୁ ସମାଲୋଚନାର ଶରବ୍ୟ ହୋଇଥିଲା । କିନ୍ତୁ ଏଥର ସେହି ଭୁଲ୍ ନ ଦୋହରାଇ ଲୋକପ୍ରିୟ ଶିଖ୍ ଚେହେରା ତଥା ସଂଗରୁର୍ ଲୋକସଭା ସଦସ୍ୟ ଭଗବନ୍ତ ସିଂହ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରି ବିରୋଧୀଙ୍କୁ ବ୍ୟାକଫୁଟକୁ ଟାଣି ନେଇଥିଲା ଆମ୍ ଆଦମୀ ପାର୍ଟି ।

କଂଗ୍ରେସର ଆତ୍ମଘାତୀ ଗୋଷ୍ଠୀ କନ୍ଦଳ

କଂଗ୍ରେସର ନେତୃତ୍ୱ ସଂକଟ ଓ ଗୋଷ୍ଠୀ କନ୍ଦଳର ଭରପୂର ଫାଇଦା ଆମ୍ ଆଦମୀ ପାର୍ଟିକୁ ମିଳିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତବର୍ଷ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶୀର୍ଷ ପଦବୀ ପାଇଁ ଗୋଷ୍ଠୀ କନ୍ଦଳ ଉଗ୍ର ହୋଇଥିଲା । ନବଜ୍ୟୋତ ସିଂହ ସିଦ୍ଧୁ, ଚରଣଜିତ ସିଂହ ଚନ୍ନି ଓ ସୁନୀଲ ଝାକରଙ୍କ ଭଳି ବରିଷ୍ଠ ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବେଶ୍ ଟଣାଓଟରା ଚାଲିଲା । କଂଗ୍ରେସର ଏହି ନେତୃତ୍ୱ କନ୍ଦଳର ସମାଧାନ କରିବାରେ ଖୁବ୍ ଡେରି କରିଦେଲେ ହାଇକମାଣ୍ଡ । ଶେଷରେ ଜଣେ ଦଳିତ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା । କିନ୍ତୁ ଏହି ପଦକ୍ଷେପ କଂଗ୍ରେସର ଦଳିତ ଭୋଟବ୍ୟାଙ୍କକୁ ମଜବୁତ୍ କରିପାରିଲା ନାହିଁ । ଉଭୟ ଚନ୍ନି ଓ ସିଦ୍ଧୁ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହୋଇଛନ୍ତି । କଂଗ୍ରେସର କଳିର ଫାଇଦା ଆମ୍ ଆଦମୀ ପାର୍ଟିକୁ ଅଧିକ ମିଳିଛି ।

କୃଷକ ଆନ୍ଦୋଳନର ପ୍ରଭାବ

ବର୍ଷାଧିକ କାଳ ଚାଲିଥିବା କୃଷକ ଆନ୍ଦୋଳନ ପଂଜାବ ନିର୍ବାଚନରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । କୃଷକ ଆନ୍ଦୋଳନ ବିଜେପି ବିରୋଧରେ ଥିଲେ ମଧ୍ୟ କଂଗ୍ରେସ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲା । ଅପରପକ୍ଷେ, ଅରବିନ୍ଦ କେଜରୀୱାଲ, ମନୀଷ ସିସୋଦିଆ ଓ ରାଘବ ଚଢାଙ୍କ ପରି ଆପ୍ ନେତା କୃଷକ ନେତାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ । ଆପ୍ ନେତାମନେ ଧାରଣା ଓ ବିକ୍ଷୋଭ ସ୍ଥଳ ପରିଦର୍ଶନ କରୁଥିଲେ ।

ଦିଲ୍ଲୀ ମଡେଲ ଅଫ୍ ଗଭର୍ଣ୍ଣାନ୍ସର ପ୍ରତିଶ୍ରୁତି

ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ମଡେଲ୍ ଅଫ ଗଭର୍ଣ୍ଣାନ୍ସ ବୋଧହୁଏ ପଂଜାବ ଭୋଟରଙ୍କୁ ଆକର୍ଷିତ କରିଛି । କମ୍ ଖର୍ଚ୍ଚରେ ଗୁଣାତ୍ମକ ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ପାନୀୟ ଜଳ ଯୋଗାଣ ପାଇଁ ଆପ୍ ମୁଖିଆ ଅରବିନ୍ଦ କେଜରୀୱାଲଙ୍କ ପ୍ରତିଶ୍ରୁତି ଦଳକୁ ନିର୍ବାଚନୀ ଫାଇଦା ଆଣିଛି । ପଂଜାବରେ ବିଜୁଳି ଦେୟ ସବୁଠାରୁ ମହଙ୍ଗା ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ଶିକ୍ଷାର ଘରୋଇକରଣ ଅଧିକ ରହିଛି । ତେଣୁ ରାଜ୍ୟର ଭୋଟରମାନେ କେଜରୀୱାଲଙ୍କ ‘ଦିଲ୍ଲୀ ମଡେଲ’ର ପ୍ରତିଶ୍ରୁତିକୁ ଗ୍ରହଣ କରିଥିଲା ଭଳି ମନେ ହେଉଛି ।

ଉପରୋକ୍ତ କାରଣ ଯୋଗୁଁ ଆମ୍ ଆଦମୀ ପାର୍ଟିକୁ ପଂଜାବରେ ବିପୁଳ ଜନସମର୍ଥନ ମିଳିଛି ବୋଲି ଦୃଢତାର ସହ କୁହାଯାଇପରିବ । ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ପ୍ରଥମେ ଦିଲ୍ଲୀ ଓ ଏବେ ପଂଜାବ ପରେ ଆମ୍ ଆଦମୀ ପାର୍ଟି ଅନ୍ତତଃ ଉତ୍ତର ଭାରତରେ ନିଜ ସ୍ଥିତି ଦୃଢ କରିପାରିବ କି ?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)

Comments are closed.