ଅଡ଼ୁଆରେ ମହୁଆ ମୋଇତ୍ରା, ଦେବୀ କାଳୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଦେବୀ କାଳୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଅଭିଯୋଗରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଭୋପାଳରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ବିରୋଧରେ ଆଇପିସିର ଧାରା ୨୯୫-ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଦେବୀ କାଳୀଙ୍କ ଉପରେ ଟିଏମସି ସାଂସଦ ମହୁଆଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟର ସମ୍ପର୍କରେ ପଚରାଯାଇଥିଲା।

ତାଙ୍କୁ ପଚରାଯାଇଥିଲା ଯେ ଫିଲ୍ମର ନିର୍ଦ୍ଦେଶକ ମା’ କାଳୀଙ୍କୁ ସିଗାରେଟ ଟାଣିବା ଦେଖାଇଛନ୍ତି । ଅନେକ ଲୋକ କହୁଛନ୍ତି ଯେ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଆପଣ ଏହାକୁ ଅସାମ୍ବିଧାନିକ ବୋଲି ଦେଖୁଛନ୍ତି କି?

ଏହି ପ୍ରଶ୍ନର ଉତ୍ତରରେ ମହୁଆ ମୋଇତ୍ରା କହିଥିଲେ, “ଯଦି ଆପଣ ଭୁଟାନ କିମ୍ବା ସିକ୍କିମକୁ ଯାଆନ୍ତି, ତେବେ ଲୋକମାନେ ସକାଳର ପୂଜା ସମୟରେ ନିଜ ଭଗବାନଙ୍କୁ ମଦ ଅର୍ପଣ କରନ୍ତି ।

“କାଳୀଙ୍କ ଅନେକ ରୂପ ଅଛି। ମୋ ପାଇଁ ମା’ କାଳୀ ଜଣେ ମାଂସ ଭକ୍ଷଣକାରୀ ଏବଂ ମଦ ଗ୍ରହଣ କରୁଥିବା ଦେବୀ । ଯଦି ଆପଣ ତାରା ପୀଠକୁ ଯାଆନ୍ତି, ତେବେ ଆପଣ ସେଠାରେ ଦେଖିବେ ସାଧୁମାନେ ଧୂମପାନ କରୁଥିବେ । ଏହା କାଳୀଙ୍କ ରୂପ ଯାହାକୁ ଲୋକମାନେ ପୂଜା କରନ୍ତି।” ହିନ୍ଦୁ ଧର୍ମରେ ରହି କାଳୀଙ୍କୁ ସେପରି ରୂପରେ ଦେଖିବାର ସ୍ବାଧୀନତା ମୋର ଅଛି । ଏହା ମୋର ସ୍ୱାଧୀନତା ଏବଂ ମୁଁ ଭାବୁ ନାହିଁ ଯେ ଏହା ଦ୍ବାରା କାହାର ଧାର୍ମିକ ଭାବନା ଆହତ ହେବ ବୋଲି ମହୁଆ ମୋଇତ୍ର କହିଥିଲେ ।

ତେବେ ମହୁଆ ମୋଇତ୍ରାଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢ଼ିବା ପରେ ତୃଣମୂଳ କଂଗ୍ରେସ ଏହି ମାମଲାରୁ ଦୂରେଇ ରଖିଥିଲା । ଏକ ବିବୃତି ଜାରି କରି ଦଳ କହିଥିଲା ଯେ ଏହା ମହୁଆଙ୍କ ବ୍ୟକ୍ତିଗତ ମନ୍ତବ୍ୟ । ଏହା ସହିତ ଦଳର କୌଣସି ସମ୍ପର୍କ ନାହିଁ ।

Comments are closed.