କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବ୍ଲାକମେଲ୍ ଉଦ୍ୟମ, ୫ ଗିରଫ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ନର୍ଥ ଏଭେନ୍ୟୁ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏମାନେ ଲକ୍ଷ୍ମୀପୁର ଖେରୀ ଘଟଣାର ଭିଡିଓ ଲିକ୍ ହେବାର ଧମକ ଦେଇ ୨ କୋଟି ଟଙ୍କା ଦାବି କରି ଗୃହମନ୍ତ୍ରୀଙ୍କୁ ବ୍ଲାକମେଲ କରିଥିଲେ।

ଡିସେମ୍ବର ୧୭ରେ ଅଜୟ ମିଶ୍ର ଟେନିଙ୍କ ତରଫରୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟକୁ ଅଭିଯୋଗ କରାଯାଇଥିଲା ଯେ ତାଙ୍କ ନମ୍ବରକୁ କିଛି VoIP(ଇଣ୍ଟରନେଟ ମାଧ୍ୟମରେ ଫୋନ୍) କଲ୍ ଆସୁଛି ଏବଂ ତାଙ୍କୁ ବ୍ଲାକମେଲ କରାଯାଉଛି। ଏହି ସମସ୍ତ କଲ୍ ଅଜୟ ମିଶ୍ର ଟେନିଙ୍କ ବ୍ୟକ୍ତିଗତ ସହାୟକଙ୍କ ଦ୍ୱାରା ଗ୍ରହଣ କରାଯାଉଥିଲା | ଲକ୍ଷୀମପୁର ଖେରୀ ଘଟଣାର ଭିଡିଓ ଲିକ୍ ହେବାର ଧମକ ଦେଇ କଲ୍ କରୁଥିବା ବ୍ୟକ୍ତିମାନେ ୨ କୋଟି ଟଙ୍କା ଦାବି କରିଥିଲେ ଏବଂ ଏଭଳି କଲ୍ ଅନେକ ଥର ଆସୁଥିଲା।

ଅଭିଯୋଗ ଦେବା ପରେ ଉତ୍ତର ପ୍ରଦେଶ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା । କାରଣ ଏହି ମାମଲା ଗୃହମନ୍ତ୍ରୀ ଅଜୟ ମିଶ୍ର ସହ ଜଡିତ ଥିଲା। ବ୍ଲାକମେଲରକୁ ଧରିବା ପାଇଁ ଅନେକ ଟିମ୍ ଗଠନ କରାଯାଇଥିଲା | ଯେଉଁ ନମ୍ବରରୁ ବ୍ଲାକମେଲରଙ୍କ କଲ୍ ଆସୁଥିଲା ତାହାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। VoIP କଲ୍ ମାଧ୍ୟମରେ ସେମାନେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ କଲ୍ କରୁଥିବାରୁ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ସହଜ ନଥିଲା। ଶେଷରେ ଟେକ୍ନିକାଲ ସର୍ଭିଲାନ୍ସ ମାଧ୍ୟମରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା | ନୋଏଡାରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଦିଲ୍ଲୀରୁ ଗିରଫ ହୋଇଥିଲେ।

ପୋଲିସ ସେମାନଙ୍କଠାରୁ କଲ୍ କରିବା ପାଇଁ ଯନ୍ତ୍ରପାତି ଓ
ମୋବାଇଲ୍ ଫୋନ୍ ଜବତ କରିଛି। ପୋଲିସର ସୂଚନାନୁସାରେ, ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକ ବିପିଓରେ କାମ କରିଛନ୍ତି ଏବଂ କେହି କେହି ଏହା ଏବେ ବି କରୁଛନ୍ତି। ପୋଲିସର ସୂଚନାନୁସାରେ, ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ନାଁରେ ମଧ୍ୟ ପୂର୍ବରୁ ଠକେଇ ଅଭିଯୋଗ ଥିଲା। କେବଳ ଏତିକି ନୁହେଁ, ସେମାନଙ୍କୁ ଟେକ୍ନିକାଲ କାର୍ଯ୍ୟ ବି ଜଣାଥିଲା। ଏହି କାରଣରୁ ସେମାନେ ଭିଓଆଇପି କଲ୍ କରୁଥିଲେ |

ପୋଲିସ ସୂଚନା ଅନୁଯାୟୀ, ସେମାନେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ନମ୍ବର କୌଣସି ଭାବେ ପାଇ ତାଙ୍କୁ ବ୍ଲାକମେଲିଂ ଆରମ୍ଭ କରିଥିଲେ। ତେବେ ସେମାନଙ୍କଠାରୁ ଲକ୍ଷ୍ମୀପୁର ଖେରୀ ଘଟଣାର କୌଣସି ଭିଡିଓ ମିଳିନାହିଁ। ସୂଚନାଯୋଗ୍ୟ, ଲକ୍ଷ୍ମୀପୁର ଖେରୀ ମାମଲାରେ ଅଜୟ ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଆସୁଛି । ଏହି ମାମଲାରେ ତାଙ୍କ ପୁଅ ଆଶିଷ ମିଶ୍ ସମ୍ପ୍ରତି ଜେଲରେ ଅଛି ।

Comments are closed.