ପଡ଼ିଆରେ ପଶି କୋହଲିଙ୍କ ସହ ସେଲଫି ନେଇଥିବା ଚାରି ପ୍ରଶଂସକ ଗିରଫ

ବେଙ୍ଗାଲୁରୁ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ତଥା ଦିବାରାତ୍ର ଟେଷ୍ଟ ବେଳେ ପଡ଼ିଆ ଭିତରକୁ ପଶି ବିରାଟ କୋହଲିଙ୍କ ସହ ସେଲଫି ନେବା କିଛି ଯୁବ ପ୍ରଶଂସକଙ୍କୁ ମହଙ୍ଗା ପଡ଼ିଛି। ସୁରକ୍ଷା ବଳୟ ଭାଙ୍ଗି କୋହଲିଙ୍କ ସହ ପଡ଼ିଆରେ ଜବରଦସ୍ତି ସେଲଫି ନେଇଥିବାରୁ ପୋଲିସ ବେଙ୍ଗାଲୁରୁର ଚାରି ଯୁବକଙ୍କୁ ଗିରଫ କରିଛି। ସୋମବାର ପୋଲିସ ଏହି ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, କ୍ୟୁବନ୍ ପାର୍କ ପୋଲିସ୍ ଥାନା ଅଞ୍ଚଳରେ ଏହି ଚାରି ଯୁବକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି।

ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ କାଲାବୁର୍ଗିର ଏବଂ ଅନ୍ୟ ତିନି ଜଣ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ ପାଇଁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରବିବାର ରାତି ପ୍ରାୟ ୯ଟା ୧୫ ମିନିଟ୍ ସମୟରେ ଅଭିଯୁକ୍ତ ଯୁବକମାନେ ହଠାତ୍ ବ୍ୟାରିକେଡ଼ ଓ ସୁରକ୍ଷା ବଳୟ ଡେଇଁ ପଡ଼ିଆ ଭିତରକୁ ପଶି ଆସିଥିଲେ । ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ସେମାନେ ସେଲଫି ନେବାକୁ ବିରାଟ କୋହଲି ଆଡକୁ ଦୌଡ଼ିଥିଲେ ।

ଯଦିଓ ବିରାଟ ତାଙ୍କ ପ୍ରଶଂସକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ସହ ସେଲଫି ଉଠାଇଥିଲେ | ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ଏହି ଘଟଣା ଘଟିଥିଲା। କ୍ୟୁବନ୍ ପାର୍କ ପୋଲିସ ତୁରନ୍ତ ଏହି ଯୁବ ପ୍ରଶଂସକ ମାନଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ଥିବା କୁହାଯାଇଛି। କୋହଲିଙ୍କ ପାଇଁ ବାଙ୍ଗାଲୋର ଦ୍ୱିତୀୟ ଘର, କାରଣ ଏହା ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହୋମ୍ ଗ୍ରାଉଣ୍ଡ |

Comments are closed.