କୋଭିଡ ଟେଷ୍ଟିଂରେ ନୂଆ ମାଇଲଖୁଂଟ,ଗଂଜାମ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଟେଷ୍ଟିଂ , କୋଭିଡ ପରିଚାଳନାରେ ସଫଳ ହୋଇଛି ଗଂଜାମ ମଡେଲ୍

ବ୍ରହ୍ମପୁର : କୋଭିଡ ଟେଷ୍ଟିଂରେ ଗଂଜାମ ଜିଲ୍ଲାର ନୂଆ ମାଇଲଖୁଂଟ । ଜିଲ୍ଲାରେ କୋଭିଡ ଟେଷ୍ଟିଂ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଓ ଗଂଜାମ ଜିଲ୍ଲା ପାଇଁ ସ୍ୱତନ୍ତ୍ର କୋଭିଡ ପରିଚାଳନା ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ସ୍ୱତନ୍ତ୍ର ପରିଚାଳନା ନୀତି ଯୋଗୁଁ ଗଂଜାମରେ ପଜିଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଅଗଷ୍ଟ ୧୫ ତାରିଖରେ ଗଂଜାମ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିଲା । ୧୫ ଦିନରୁ କମ୍ ସମୟ ମଧ୍ୟରେ ଜିଲ୍ଲାରେ ଆଉ ଲକ୍ଷେ କୋଭିଡ ଟେଷ୍ଟିଂ ହୋଇଛି । ଘର ଘର ବୁଲି ବ୍ୟାପକ ସ୍ୱାସ୍ଥ୍ୟ ଯାଂଚ ହୋଇଥିବାରୁ ଅଧିକରୁ ଅଧିକ ଟେଷ୍ଟିଂର ଆବଶ୍ୟକତା ପଡିଥଲା । ଆଉ ଜିଲ୍ଲା ପ୍ରଶାସନ ତାହା କରିଛି ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ଘର ଘର ବୁଲି ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଦ୍ୱାରା ଅଧିକରୁ ଅଧିକ ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇପାରିଛି । ସେମାନଙ୍କର ଚିକିତ୍ସା କରାଯାଇ ସଂକ୍ରମଣକୁ ରୋକାଯାଇପାରିଛି ବୋଲି ଜିଲ୍ଲାପାଳ କହିଛନ୍ତି । ସଂକ୍ରମଣ ଦୃଷ୍ଟିରୁ ଗଂଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ କୋରନା ପଜିଟିଭ ସଂଖ୍ୟା ହ୍ରାସ ପାଉଛି ଏବଂ ତାହା ହିଁ ବଡ କଥା ବୋଲି ଜିଲ୍ଲାପାଳ କହିଛନ୍ତି । କୋରୋନା ଭାଇରସ ନିୟନ୍ତ୍ରଣ ପାଇଁ ଗଂଜାମର ସୁନିୟୋଜିତ ଯୋଜନା ସଫଳ ରହିଛି ।

ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିଛନ୍ତି । ଫଳସ୍ୱରୂପ ଏବେ ଜିଲ୍ଲାରେ ପଜିଟିଭ ହାର ହ୍ରାସ ପାଇବାରେ ଲାଗିଛି । ଗଂଜାମ ଜିଲ୍ଲାକୁ ସବା ର୍ଧିକ ୫ ଲକ୍ଷ ପ୍ରବାସୀ ଗୁଜରାଟ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ନାଟକ ଓ ତେଲେଙ୍ଗାନା ପରି ହଟସ୍ପଟ ରାଜ୍ୟରୁ ଆସଥିିଲେ । ସେମାନଙ୍କୁ ସଂଗରୋଧରେ ରଖାଯାଇଥିଲା । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟ୍ ଭଳି ବହୁମୁଖୀ ରଣନୀତି ଆପଣାଯାଇ ଭାଇରସକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି । ଏଥିପାଇଁ ଦୈନନ୍ଦିନ ଟେଷ୍ଟିଂ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା ।

ଗଂଜାମ ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୬ ହଜାର ୨୧୯ଟି କୋଭିଡ ଟେଷ୍ଟିଂ ହୋଇଛି । ଏଥିମଧ୍ୟରୁ ରାପିଡ ଆଂଟିଜେନ ଟେଷ୍ଟିଂର ସଂଖ୍ୟା ହେଉଛି ୧ ଲକ୍ଷ ୬୬ ହଜାର ୮୮୩ । ଆରଟି-ପିସିଆର୍ ଟେଷ୍ଟ ସଂଖ୍ୟା ହେଉଛି ୩୯ ହଜାର ୩୩୬ । ଜିଲ୍ଲାରେ ବର୍ତମାନ ସାମଗ୍ରିକ ପଜିଟିଭ ରେଟ୍ ହେଉଛି ୮ ଦଶମିକ ୩୦ ପ୍ରତିଶତ । ଦୈନନ୍ଦିନ ପଜିଟିଭ ହାର ୧ ଦଶମିକ ୮୫ ପ୍ରତିଶତ ରହିଛି ।

Comments are closed.