ନୂଆ କରୋନା ଷ୍ଟ୍ରେନ୍ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ଏସ୍‌ଓପି

ନୂଆଦିଲ୍ଲୀ – କରୋନା ଭାଇରସର ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଅଧିକାଂଶ ଦେଶ କୋଭିଡ୍ ଗାଇଡ୍ ଲାଇନକୁ ଆହୁରି କଡ଼ାକଡ଼ି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ସରକାର ମଧ୍ୟ ନୂଆ କୋଭିଡ୍‌-୧୯ ଷ୍ଟ୍ରେନ୍‌ରୁ ବଞ୍ôଚବା ପାଇଁ ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏହି କ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମଙ୍ଗଳବାର ନୂଆ କରୋନା ଷ୍ଟ୍ରେନ୍ ନେଇ ଏସ୍‌ଓପି ଜାରି କରାଯାଇଛି । ଏହି ଏସ୍‌ଓପି ମୁତାବକ ସବୁ ରାଜ୍ୟମାନଙ୍କୁ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ଆରଟି ପିସିଆର ଟେଷ୍ଟ କରିବେ । ଯଦି ରିପୋର୍ଟ ପଜିଟିଭ୍ ହୁଏ, ତେବେ ପୁଣି ତାହାର ସ୍ପାଇକ୍ ଜିନ୍ ଆଧାରିତ ଆରଟି-ପିସିଆର ଟେଷ୍ଟ କରାଯିବ । ଯେଉଁ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ସରକାରୀ ଆଇସୋଲେସନ ଫେସିଲିଟିରେ ରଖାଯିବ । ଏଥିପାଇଁ ରାଜ୍ୟମାନଙ୍କୁ ପୃଥକ ବ୍ୟବସ୍ଥା କରିବାକୁ ପଡିବ । ସମ୍ପୃକ୍ତ ପଜିଟିଭ୍ ବ୍ୟକ୍ତିଙ୍କ ନମୁନା ପୁଣି ପୁନେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଏରୋଲୋଜିକୁ ପଠାଯାଇ ଜେନୋମିକ୍ ସିକ୍ୱେନ୍ସିଂ କରାଯିବ । ଯଦି ରିପୋର୍ଟରେ ଭାରତରେ ପୂର୍ବରୁ ବ୍ୟାପୁଥିବା ଭାଇରସ୍ ବୋଲି ଜଣାଯାଏ, ତେବେ କରୋନା ପାଇଁ ବର୍ତ୍ତମାନ ପ୍ରଚଳିତ ପ୍ରୋଟୋକଲ ଜରିଆରେ ସେମାନଙ୍କ ଚିକିତ୍ସା କରାଯିବ । ଯଦି ସମ୍ପୃକ୍ତ ଆକ୍ରାନ୍ତଙ୍କ ନମୁନାରୁ ନୂଆ କରୋନା ଷ୍ଟ୍ରେନ୍ ମିଳେ,ତେବେ ରୋଗୀଙ୍କୁ ଏକ ଅଲଗା ଆଇସୋଲେସନ୍ କେନ୍ଦ୍ରରେ ରଖାଯିବ । ପ୍ରୋଟୋକଲ ଅନୁସାରେ ସେମାନଙ୍କ ଚିକିତ୍ସା କରାଯିବ ।

ପଜିଟିଭ୍ ହେବାର ୧୪ ଦିନ ପରେ ସେମାନଙ୍କ ଦ୍ୱିତୀୟ ଥର ଆରଟି-ପିସିଆର ଟେଷ୍ଟ କରାଯିବ । ଏହାପରେ ଯଦି ସେମାନଙ୍କ ରିପୋର୍ଟ ପୁଣି ପଜିଟିଭ୍ ଆସେ, ତେବେ ନେଗେଟିଭ୍ ଆସିବା ପର୍ଯ୍ୟନ୍ତ ସମ୍ପୃକ୍ତ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯିବ । ଏୟାରପୋର୍ଟରେ ପରୀକ୍ଷାରେ ଯେଉଁ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଚେକ୍ ଇନ୍ ପୂର୍ବରୁ ଯାତ୍ରୀମାନଙ୍କୁ ସଦ୍ୟ ଜାରି କରାଯାଇଥିବା ଏସ୍‌ଓପି ସମ୍ପର୍କରେ ଅବଗତ କରିବେ ସମ୍ପୃକ୍ତ ବିମାନ କମ୍ପାନୀ ।

Comments are closed.