ମୀରାବାଇ ଚାନୁଙ୍କ ଫ୍ୟାନ୍ ବନିଗଲେ ଏହି ହଲିଉଡ୍ ଷ୍ଟାର୍, ପ୍ରଶଂସାରେ ହେଲେ ଶତମୁଖ

ନୂଆଦିଲ୍ଲୀ: ଭାରୋତ୍ତୋଳନକାରୀ ସାଇଖୋମ୍ ମୀରାବାଇ ଚାନୁ ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ସଫଳତା ପରେ ଚାନୁଙ୍କ ନିକଟକୁ କେବଳ ଭାରତରୁ ପ୍ରଶଂସାର ସୁଅ ଛୁଟିନଥିଲା, ବରଂ ତାଙ୍କର ପ୍ରଦର୍ଶନରେ ଜଣେ ଲୋକପ୍ରିୟ ହଲିଉଡ୍ ଅଭିନେତା ମଧ୍ୟ ପ୍ରଭାବିତ ହୋଇଥିଲେ ।

ହଲିଉଡ୍ ଫିଲ୍ମରେ ସୁପରହିରୋ ‘ଥୋର୍’ ଭୂମିକାରେ ଅଭିନୟ ପାଇଁ ପରିଚିତ ଷ୍ଟାର୍ ଅଭିନେତା କ୍ରିସ୍ ହେମସୱର୍ଥ ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ଟ୍ବିଟ୍ କରି ଭୂୟସୀ ପ୍ରଶଂସା କରିଛନ୍ତି ।

ମୀରାବାଇ ଚାନୁଙ୍କୁ ‘ଥୋର୍’ ସହ ତୁଳନା କରି ଜଣେ ପ୍ରଶଂସକଙ୍କ ଟ୍ୱିଟର ଜବାବରେ କ୍ରିସ୍ ହେମସୱର୍ଥ ଚାନୁଙ୍କୁ ପ୍ରଶଂସା କରିଛନ୍ତି।

ସ୍ୱର୍ଣ୍ଣ ପଦକ ଜିତିବା ପରେ ମୀରାବାଇ ଚାନୁ ଜୁଲାଇ ୩୧ରେ ଏକ ଟ୍ବିଟ୍ କରି କହିଥିଲେ, “୨୦୧ କିଲୋଗ୍ରାମ ଉଠାଇବା କେବେ ସହଜ ନଥିଲା । କିନ୍ତୁ ଦେଶର କୋଟି କୋଟି ଲୋକଙ୍କର ଭଲପାଇବା ଏବଂ ଶୁଭେଚ୍ଛାରୁ କେବଳ ଗୋଟିଏ ପ୍ରୟାସରେ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ପ୍ରତିହତ କରାଯାଇ ପାରିବ।”

ଚାନୁଙ୍କ ଏହି ଟ୍ବିଟ୍ ଉପରେ ସୌରଭ ସିହ୍ନା ନାମକ ଜଣେ ୟୁଜର ହଲିଉଡ୍ ଅଭିନେତା କ୍ରିସ୍ ହେମସୱର୍ଥଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରି କହିଥିଲେ, “ବର୍ତ୍ତମାନ ଥୋର୍ ତାଙ୍କ ହାତୁଡ଼ିକୁ ଭୁଲିଯିବା ଉଚିତ।”

ସୌରଭ ସିହ୍ନା ମୀରାବାଇ ଚାନୁ ଉଠାଇଥିବା ଭାରୀ ଓଜନକୁ ‘ଥୋର୍’ ଚରିତ୍ରର ଓଜନଦାର ହାତୁଡ଼ି ସହିତ ତୁଳନା କରିଥିଲେ।

ବାସ୍ତବରେ ମାର୍ଭଲ୍ ସିନେମାଟିକ୍ ୟୁନିଭର୍ସର ଫିଲ୍ମ ସିରିଜ୍ ‘ଥୋର୍’ରେ ମୁଖ୍ୟ ଚରିତ୍ର ଥୋର ଓଡିନାନ୍ସ ହାତୁଡ଼ି ଭଳି ଏକ ଅସ୍ତ୍ର ଧରିଥାନ୍ତି । ଏହା ଏତେ ଭାରୀ ଯେ ଅଲୌକିକ ଶକ୍ତି ଥିବା ଥୋରଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ ଉଠାଇ ପାରିବେ ନାହିଁ |

କ୍ରିସ୍ ହେମସୱର୍ଥଙ୍କ ଏହି ଚରିତ୍ର ଏବଂ ତାଙ୍କର ହାତୁଡ଼ି ସିନେପ୍ରେମୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି |

ଏହାକୁ ତୁଳନା ନେଇ କରାଯାଇଥିବା ଟ୍ବିଟର ଜବାବରେ କ୍ରିସ୍ ହେମସୱର୍ଥ ମୀରାବାଇ ଚାନୁଙ୍କୁ ପ୍ରଶଂସା କରିଥିଲେ । ଏହି ହଲିଉଡ୍ ଷ୍ଟାର୍ ଲେଖିଥିଲେ, ସେ ଏହାର ଯୋଗ୍ୟ! ଧନ୍ୟବାଦ, ସାଇଖୋମ୍ (ଚାନୁ), ଆପଣ ଜଣେ କିମ୍ବଦନ୍ତୀ। ”

ହେମସୱର୍ଥଙ୍କ ପରି ହଲିଉଡ୍ ଷ୍ଟାରଙ୍କ ଠାରୁ ଏପରି ପ୍ରଶଂସା ପରେ ଚାନୁଙ୍କ ଖୁସି ଦ୍ଵିଗୁଣିତ ହୋଇଯାଇଥିଲା । ସେ ଟ୍ବିଟ୍ କରି ହେମସୱର୍ଥଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ କହିଥିଲେ, “ମୁଁ ସର୍ବଦା ଆପଣଙ୍କ ଫିଲ୍ମ ଦେଖିବାକୁ ଭଲ ପାଏ ।”

ମୀରବାଇ ଚାନୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ | ସେ ମହିଳା ଭାରୋତ୍ତୋଳନର ୪୯ କିଲୋଗ୍ରାମ ବର୍ଗରେ ମୋଟ ୨୦୧ କିଲୋଗ୍ରାମ ଉଠାଇ ଏହି ସଫଳତା ହାସଲ କରିଥିଲେ |

Comments are closed.