ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ରୁଟ୍ ନମ୍ବର ଓ୍ବାନ୍, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ ମଧ୍ୟରେ ଆଇସିସି ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି। ଚମତ୍କାର ଫର୍ମରେ ଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସଦ୍ୟତମ ଆଇସିସି ବ୍ୟାଟିଂ ତାଲିକାରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଅନ୍ୟପକ୍ଷରେ ଖରାପ ଫର୍ମ ଯୋଗୁଁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟପ୍-୫ରୁ ବାଦ୍ ପଡିଛନ୍ତି। ଓପନର୍ ରୋହିତ ଶର୍ମା ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟ୍ ର ଶ୍ରେଷ୍ଠ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ପାଞ୍ଚ ବର୍ଷରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଟପ୍-୫ ରେ ସ୍ଥାନ ହରାଇଛନ୍ତି। ଇଂଲଣ୍ଡ ଗସ୍ତରେ ଏଯାବତ ପାଞ୍ଚ ଇନିଂସରେ ବିରାଟ କୋହଲି ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ବିରାଟ କୋହଲି ୯ ପଏଣ୍ଟ ହରାଇ ବର୍ତ୍ତମାନ ୭୬୬ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି।

ଓପନର୍ ହେବା ପରଠାରୁ ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଦୁଇ ବର୍ଷ ତଳେ ଯେତେବେଳେ ରୋହିତ ଶର୍ମାଙ୍କୁ ଟେଷ୍ଟରେ ଓପନର୍ ସୁଯୋଗ ଦିଆଯାଇଥିଲା, ସେତେବେଳେ ତାଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗ ୫୩ତମ ସ୍ଥାନରେ ଥିଲା। କିନ୍ତୁ ଦୁଇ ବର୍ଷ ମଧ୍ୟରେ ସେ ଦୁନିଆର ଶ୍ରେଷ୍ଠ ପାଞ୍ଚଜଣ ବ୍ୟାଟ୍ସମ୍ୟାନ୍ ଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି। ୭୭୩ ପଏଣ୍ଟ ସହ ରୋହିତ ଶର୍ମା ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ୬ ବର୍ଷ ପରେ ପ୍ରଥମ ଥର ପାଇଁ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ରୁଟ୍ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ନବମ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ଏବେ ରୁଟ୍ କେନ୍ ୱିଲିୟମ୍ସନଙ୍କୁ ପଛରେ ପକାଇ ଦେଇଛନ୍ତି। ୯୧୬ ପଏଣ୍ଟ ସହ ଆଇସିସି ର଼୍ୟାଙ୍କିଙ୍ଗରେ ରୁଟ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ୱିଲିୟମ୍ସନ୍ ୯୦୧ ପଏଣ୍ଟ ସହିତ ଦ୍ୱିତୀୟ ଏବଂ ଷ୍ଟିଭ ସ୍ମିଥ୍ ୮୯୧ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି |

ବୋଲରଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ଭାରତ ବିପକ୍ଷରେ ତାଙ୍କର ଜବରଦସ୍ତ ପ୍ରଦର୍ଶନରୁ ଲାଭ ପାଇଛନ୍ତି। ଆଣ୍ଡରସନ ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଆର.ଅଶ୍ୱିନ୍ ମଧ୍ୟ ପୂର୍ବ ଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Comments are closed.