୧୯ ବର୍ଷରୁ କମ୍ ଏସିଆ କପ୍: ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦୁବାଇ: ୧୯ ବର୍ଷରୁ କମ୍ ଏସିଆ କପ୍ ସେମିଫାଇନାଲରେ ୧୦୩ ରନରେ ବାଂଲାଦେଶକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଭାରତର ମୁକାବିଲା ଶ୍ରୀଲଙ୍କା ସହ ହେବ। ଅନ୍ୟ ଏକ ସେମିଫାଇନାଲରେ ଶ୍ରୀଲଙ୍କା ୨୦୧୯ର ଯୁଗ୍ମ ବିଜେତା ପାକିସ୍ତାନକୁ ହରାଇଥିଲା । ଅଷ୍ଟମ ଥର ପାଇଁ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ଦଳ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି | ୨୪୪ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ବାଂଲାଦେଶ ୩୮.୨ ଓଭରରେ ୧୪୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ବାଂଲାଦେଶ ପାଇଁ ଆରିଫୁଲ ଇସଲାମ ୪୨ ରନ୍ କରିଥିଲେ। ଭାରତ ତରଫରୁ ରାଜଭାରତ, ରବି କୁମାର, ରାଜ ବାୱା ଏବଂ ଭାକି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ବାଂଲାଦେଶ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା। ଭାରତ ଭଲ ଆରମ୍ଭ କରିନଥିଲା। ଏହା ସତ୍ତ୍ୱେ ବାଂଲାଦେଶ ସମ୍ମୁଖରେ ଭାରତ ୨୪୪ ରନର ଏକ ଚ୍ୟାଲେଞ୍ଜିଂ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା | ଶକିଲ ରସିଦ ଭାରତ ପାଇଁ ସର୍ବାଧିକ ତଥା ଅପରାଜିତ ୯୦ ରନ୍ କରିଥିଲେ । ସେ ତିନୋଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତାଙ୍କ ବ୍ୟତୀତ ରାଜଭାରତ ସାତୋଟି ବଲରେ ୧୬ ରନ୍ ସଂଗ୍ରହ କରିଥିଲେ ଏବଂ ଭିକି ୧୮ଟି ବଲରେ ୨୮ ରନ୍ କରିଥିଲେ।

ଟିମ୍ ଇଣ୍ଡିଆର ଅଧିନାୟକ ଯଶ ଧୂଲ୍ ୨୬ ରନ୍ କରିଥିବା ବେଳେ ରାଜ ବାୱା ୨୩ ରନ୍ ଏବଂ ବ୍ୟାଟ୍ସମ୍ୟାନ୍ ହରନୂର ସିଂ ୧୫ ରନ୍ କରିଥିଲେ। ଏହାପୂର୍ବରୁ ଦୁବାଇରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ୨୨ ରନରେ ହରାଇ ଶ୍ରୀଲଙ୍କା ପଞ୍ଚମ ଥର ଫାଇନାଲରେ ପ୍ରବେଶ କରିଥିଲା।

Comments are closed.