ତୃତୀୟ ଲହର ପ୍ରକୋପ: ଦେଶରେ ଆଉ ୧.୬୮ ଲକ୍ଷ ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ୮ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ କରୋନାର ଅଣାୟତ୍ତ ଗତି ଥମିବାର ନାଁ ନେଉନାହିଁ । ଗତକାଲି ତୁଳନାରେ ଆଜି କରୋନାର ନୂଆ ମାମଲାରେ ହ୍ରାସ ଘଟିଥିଲେ ମଧ୍ୟ ବିପଦ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୬୮ ହଜାର ୬୩ ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି କରୋନାର ନୂତନ କ୍ଷେତ୍ରରେ ୬.୪ ପ୍ରତିଶତ ହ୍ରାସ ଘଟିଛି। ସୋମବାର ଦିନ ୧ ଲକ୍ଷ ୭୯ ହଜାର ନୂତନ ମାମଲା ରୁଜୁ ହୋଇଛି।

ଦିନକରେ ୬୯,୯୫୯ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୫୮ ଲକ୍ଷ ୭୫ ହଜାର ୭୯୦ କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଏହି ମହାମାରୀରେ ୪ ଲକ୍ଷ ୮୪ ହଜାର ୨୧୩ ଲୋକ ପ୍ରାଣ ହରାଇଛନ୍ତି ।

କୋଭିଡ-୧୯ରୁ ଏପର୍ଯ୍ୟନ୍ତ ୩ କୋଟି ୪୫ ଲକ୍ଷ ୭୦ ହଜାର ୧୩୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୮ ଲକ୍ଷ ୨୧ ହଜାର ୪୪୬ କୁ ବୃଦ୍ଧି ପାଇଛି ।

ସୋମବାର ଠାରୁ ଦେଶରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖଭାଗ କୋଭିଡ୍ ଯୋଦ୍ଧା ଓ ଦୁରାରୋଗ୍ୟ ରେ ପୀଡ଼ିତ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହୋଇଛି ।

ମନ୍ତ୍ରଣାଳୟର ସୂଚନାନୁସାରେ, ସୋମବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୮୨,୭୬,୧୫୮ ଡୋଜ ଦିଆଯାଇଥିଲା ଫଳରେ ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୨.୭୮ କୋଟି ଟିକା ଦିଆଯାଇଛି।

Comments are closed.