ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଥର ଟି-୨୦ ସିରିଜ୍ ଜିତିଲା ଭାରତ

ଗୁଆହାଟୀ: ସୂର୍ଯ୍ୟକୁମାର ଯାଦବଙ୍କ ପୁଣି ଏକ ଚିତ୍ତାକର୍ଷକ ଅର୍ଦ୍ଧଶତକ ବଳରେ ଭାରତ ରବିବାର ଅନୁଷ୍ଠିତ ହାଇ ସ୍କୋରିଂ ଦ୍ୱିତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକାକୁ ୧୬ ରନରେ ହରାଇଛି । ଏଥିସହ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ସହ ସିରିଜ୍ କବଜା କରିଛି । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଥର ଟି୨୦ ସିରିଜ ଜିତିଛି।

ସୂର୍ଯ୍ୟକୁମାର ଓ ରାହୁଲଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ୩ ୱିକେଟ୍ ବିନିମୟରେ ୨୩୭ ରନର ବିଶାଳ ସ୍କୋର କରିଥିଲା । ଟି୨୦ରେ ଭାରତର ଏହା ଚତୁର୍ଥ ସର୍ବୋଚ୍ଚ ସ୍କୋର ଥିଲା । ଏହାର ଜବାବରେ ଡେଭିଡ୍ ମିଲରଙ୍କ ବିସ୍ଫୋରକ ଅପରାଜିତ ଶତକ ଓ କ୍ୱିଣ୍ଟନ ଡି’କକଙ୍କ ସହ ତାଙ୍କର ୧୭୪ ରନର ଅବିଭକ୍ତ ଭାଗଦାରୀ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୩ ୱିକେଟ୍ ହରାଇ ୨୨୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଡେଭିଡ୍ ମିଲର ଲଢୁଆ ପ୍ରଦର୍ଶନ ସହ ମାତ୍ର ୪୭ଟି ବଲରେ ୮ଟି ଚୌକା ଓ ୭ଟି ଛକା ସହ ଅପରାଜିତ ୧୦୬ ରନ୍ କରିଥିଲେ । ଡି’କକ୍ ୪୮ଟି ବଲରେ ୬୯ ରନ୍ କରି ନଟ୍ ଆଉଟ୍ ଥିଲେ । ହେଲେ ଉଭୟ ଦକ୍ଷିଣ ଆଫ୍ରିକାକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ପାରିନଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨ଟି ୱିକେଟ୍ ନେଇଥିଲେ ମଧ୍ୟ ସେ ବେଶି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭରରେ ୬୨ ରନ୍ ଦେଇଥିଲେ ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ଧମାକାଦାର ଷ୍ଟାର୍ଟ ଦେଇଥିଲେ। ବିଶେଷ କରି କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରିଥିଲେ। ୯.୫ ଓଭରରେ ଦୁଇ ଓପନର ୯୬ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୩୭ ବଲ୍‌ରୁ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ପରେ ପରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ମାତ୍ର ୨୮ ବଲ୍‌ରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୪ ଛକା ସହ ୫୭ ରନ କରିଥିଲେ।

ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ମଙ୍ଗ ସମ୍ଭାଳିଥିଲେ। ସୂର୍ଯ୍ୟ କ୍ରିଜକୁ ଆସିବା ମାତ୍ରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ସେ ପଡିଆର ଚତୁର୍ଦ୍ଦିଗରେ ଚୌକା ଏବଂ ଛକା ବର୍ଷା କରି ମାତ୍ର ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୦୯ ରନରେ ନିଜ ଭୁଲ୍ ଯୋଗୁଁ ସୂର୍ଯ୍ୟକୁମାର ଯାଦବ ରନ ଆଉଟ୍ ହୋଇଥିଲେ। ସେ ମାତ୍ର ୨୨ ବଲ୍‌ରୁ ୫ ଚୌକା ଏବଂ ୫ ଛକା ବଳରେ ୬୧ ରନ କରି ପାଭିଲିୟନ ଫେରିଥିଲେ।

ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକର ନିକଟତର ହୋଇଥିଲେ। କୋହଲି ୨୮ ବଲ୍‌ରୁ ୭ ଚୌକା ଏବଂ ୧ ଛକା ସହ ୪୯ ରନରେ ଅପରାଜିତ ଥିଲେ। ଦିନେଶ କାର୍ତ୍ତିକ ୭ ବଲ୍‌ରୁ ୧୭ ରନ କରି ଭଲ ଫିନିସ୍ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୩୭ ରନର ବିିିଶାଳ ସ୍କୋର କରିଥିଲା ।

Comments are closed.