ଆଜିଠାରୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍, ଟିମ୍ ଇଣ୍ଡିଆ ଖେଳିବ ୧୦୦୦ତମ ଦିନିକିଆ

ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ଏହା ଭାରତର ୧୦୦୦ତମ ଦିନିକିଆ ମ୍ୟାଚ୍ । ବିଶ୍ୱର ପ୍ରଥମ ଦେଶ ଭାବେ ଏହି ମାଇଲଖୁଣ୍ଟ ଛୁଇଁବ । ଏହାଛଡା ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ ହେବା ପରେ ରୋହିତ ଶର୍ମାଙ୍କ ମଧ୍ୟ ଏହା ପ୍ରଥମ ସିରିଜ୍ । ରୋହିତଙ୍କ ନେତୃତ୍ୱରେ ବିଜୟ ସହ ଭାରତ ନିଜର ୧୦୦୦ତମ ମ୍ୟାଚକୁ ସ୍ମରଣୀୟ କରିବା ସହ ଦିନିକିଆରେ ଏକ ନୂଆ ଯୁଗର ଆରମ୍ଭ ଲକ୍ଷ୍ୟରେ ରହିବ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ସିରିଜରେ ଭାରତ ମଧ୍ୟ ନିଜ ମଧ୍ୟକ୍ରମ ବ୍ୟାଟିଂ ସମସ୍ୟା ସୁଧାରିବା ଉପରେ ଧ୍ୟାନ ଦେବ ।

ନୂଆ ଅଧିନାୟକ ରୋହିତ ଓ ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ନଜର ୨୦୨୩ ବିଶ୍ୱକପ୍ ଉପରେ ରହିଛି । ଏଥିପାଇଁ ଏବେଠୁ ବ୍ଲୁ ପ୍ରିଣ୍ଟ୍ କରିବା ଉପରେ ଉଭୟଙ୍କ ଫୋକସ୍ ରହିଛି । ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତ ଏହି ଫର୍ମାଟରେ ନିଜ ରଣନୀତିରେ ପରିବର୍ତ୍ତନ କରିବା ଥୟ ।

ଦକ୍ଷିଣ ଆଫ୍ରିକାରେ ଏକ ଦୁର୍ବଳ ତଥା ଅନଭିଜ୍ଞ ଦଳ ଠାରୁ ଅପ୍ରତ୍ୟାଶିତ ପରାଜୟ ପରେ ଭାରତ ଏବେ ଘରୋଇ ପରିବେଶରେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଏକ ସିିରିଜ ଖେଳିବ । କୋଚ୍ ଦ୍ରାବିଡଙ୍କ ସହ ନବନିଯୁକ୍ତ ଅଧିନାୟକ ରୋହିତ ଦଳକୁ ବିଜୟ ଧାରାକୁ ଫେରାଇ ଆଣିବାକୁ ଚାହିଁବେ । ଆଗାମୀ କିଛି ମାସ ମଧ୍ୟରେ ରୋହିତ-ଦ୍ର୍ରାବିଡ ଯୋଡି ୫୦ ଓଭର ଫର୍ମାଟରେ ଦଳର ରଣନୀତି ଚୂଡାନ୍ତ କରିବେ । ଏପରି ସଙ୍କେତ ଏହି ଦୁଇ ଯୋଡିଙ୍କ ନିଯୁକ୍ତି ସହ ସ୍ପଷ୍ଟ ମିଳିସାରିଛି । ଏଥିପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ନିଜ ମଧ୍ୟକ୍ରମ ସମସ୍ୟାକୁ ଦୂର କରିବା ପାଇଁ ପ୍ରକୃଷ୍ଟ ପ୍ଲାଟଫର୍ମ ହେବ । ଧଳା ବଲ୍ କ୍ରିକେଟରେ ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚିତ ଅଧିନାୟକ ରୋହିତଙ୍କୁ ନିଜ ଦକ୍ଷ ନେତୃତ୍ୱ ସହ ପ୍ରଥମେ ଉଦାହରଣ ସୃଷ୍ଟି କରିବାକୁ ପଡିବ । ବ୍ୟକ୍ତିଗତ କାରଣରୁ କେଏଲ ରାହୁଲ ପ୍ରଥମ ଦିନିକିଆ ପାଇଁ ଉପଲବ୍ଧ ହୋଇନଥିବା ବେଳେ ଶିଖର ଧାୱନ୍ ଓ ଋତୁରାଜ ଗାଏକ୍ୱାଡ୍ କରୋନା ସଂକ୍ରମିତ ହୋଇ ଆଇସୋଲେସନରେ ଅଛନ୍ତି । ଏଭଳି ସ୍ଥଳେ ଶେଷ ମୁହୂର୍ତ୍ତରେ ଦଳରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ କିମ୍ବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅଧିନାୟକ ରୋହିତଙ୍କ ସହ ଇନିଂସ୍ ଓପନ୍ କରିବେ । ତେବେ କିଶାନଙ୍କ ସହ ସେ ଇନିଂସ୍ ଓପନ୍ କରିବେ ବୋଲି ଶନବିାର ରୋହିତ ସ୍ପଷ୍ଟ କରିଛନ୍ତି । ରୋହିତ ଯେକୌଣସି ବୋଲିଂ ଆକ୍ରମଣକୁ ଧରାଶାୟୀ କରିବାରେ ସମର୍ଥ । ଏହି ସିରିଜ ପାଇଁ ୱେଷ୍ଟଇଣ୍ଡିଜର ବୋଲିଂ ଆକ୍ରମଣ ଅନଭିଜ୍ଞ ମନେ ହେଉଥିବା ବେଳେ ରୋହିତଙ୍କ ବ୍ୟାଟରୁ ରନ୍ ବର୍ଷା ଆଶା କରାଯାଉଛି । ଟପ୍ ଅର୍ଡରରେ ମୟଙ୍କ ବା କିଶାନଙ୍କ ମଧ୍ୟ ବଡ଼ ସ୍କୋର କରିବାକୁ ଦକ୍ଷତା ରହିଛି ।

ଗତ କିଛି ବର୍ଷ ଧରି ଭାରତର ମଧ୍ୟକ୍ରମ ବ୍ୟାଟିଂ ସମସ୍ୟା ଦଳ ପାଇଁ ବଡ ଚିନ୍ତାର କାରଣ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ରିଷଭ ପନ୍ତଙ୍କୁ ଛାଡି ଭାରତର ମଧ୍ୟକ୍ରମ ତିନୋଟି ଯାକ ଦିନିକିଆରେ ଫେଲ୍ ମାରିଥିଲା । ଏଭଳି ସ୍ଥଳେ ଦଳ ଏହି ସମସ୍ୟାର ସ୍ଥାୟୀ ସମାଧାନ ବାହାର କରିବାକୁ ଚାହିଁବ । ଏଥିପାଇଁ ମଧ୍ୟକ୍ରମରେ ପ୍ରଭାବୀ ପ୍ରଦର୍ଶନ କରିପାରୁଥିବା ଖେଳାଳିଙ୍କୁ ସାମିଲ କରିବା ଉପରେ ଫୋକସ୍ ରହିବ ।

ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ମଧ୍ୟକ୍ରମରେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏବଂ ବିଜୟ ହଜାର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଦୀପକ ହୁଡାଙ୍କୁ ଜାତୀୟ ଦଳରେ ନିଜ ସ୍ଥାନ ସୁଦୃଢ କରିବାକୁ ସୁଯୋଗ ମିଳିପାରେ । ଏହି ଦୁଇ ବ୍ୟାଟ୍‌ସମ୍ୟାନଙ୍କ ବ୍ୟତୀତ ସୁପରଷ୍ଟାର ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଅନେକ କିଛି ନିର୍ଭର କରିବ ।
ଦକ୍ଷିଣ ଆଫ୍ରିକା ସିରିଜରେ ଭାରତ ନବାଗତ ଭେଙ୍କଟେଶ ଆୟରଙ୍କୁ ମଧ୍ୟକ୍ରମରେ ଖେଳାଇ ପରୀକ୍ଷା ନିରୀକ୍ଷା କରିଥିଲା । ହେଲେ ଏହା ସଫଳ ହୋଇନଥିଲା ।

ବୋଲିଂ ବିଭାଗରେ ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ବାମହାତୀ ସ୍ପିନର କୁଲଦୀପ ଯାଦବ ଓ ତାଙ୍କ ସାଥୀ ୟୁଜବେନ୍ଦ୍ର ଚହଲ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି । କ୍‌ୁଲଦୀପ ଗତବର୍ଷ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଶେଷଥର ପାଇଁ ଏକ ଦିନିକିଆ ଖେଳିଥିଲେ । ପରେ ଏକ ସର୍ଜରୀ କରିବା ପରେ ସେ ସୁସ୍ଥ ହୋଇ ପୁଣି ଜାତୀୟ ଦଳକୁ ଫେରିଛନ୍ତି । କୁଲଦୀପ ଓ ଚହଲଙ୍କ ବ୍ୟତୀତ ଟିମ୍ ମ୍ୟାନେଜମେଣ୍ଟ ଏହି ସରିଜ୍ ପାଇଁ ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି । ତେବେ ତାଙ୍କୁ ସୁଯୋଗ ମିଳୁଛି କି ନାହିଁ ଦେଖିବାକୁ ରହିଲା ।

ଏହି ସିରିଜରୁ ଦୁଇ ପ୍ରମୁଖ ପେସର ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଉଭୟଙ୍କ ଅନୁପସ୍ଥିତିରେ ‘ପାଲଘର ଏକ୍ସପ୍ରେସ୍‌’ ଭାବେ ପରିଚିତ ଶାର୍ଦ୍ଦୁଲ ଠାକୁର ବୋଲିଂ ଆକ୍ରମଣର ନେତୃତ୍ୱ ନେବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଠାକୁର ଦିନିକଆ ଦଳରେ ନିଜ ସ୍ଥାନକୁ ସୁରକ୍ଷିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଠାକୁରଙ୍କ ବ୍ୟତୀତ ମହମ୍ମଦ ସିରାଜ, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅବେଶ ଖାନଙ୍କ ପରି ଯୁବ ବୋଲର ମଧ୍ୟ ନିଜ ପ୍ରଦର୍ଶନ ଦ୍ୱାରା ଜାତୀୟ ଦଳରେ ନିଜ ସ୍ଥାନ ମଜବୁତ କରିବାକୁ ଚାହିଁବେ ।

ଅନ୍ୟପକ୍ଷେ ଘରୋଇ ମାଟିରେ ଅନୁଷ୍ଠିତ ଟି୨୦ ସିରିଜରେ ଇଂଲଣ୍ଡକୁ ୩-୨ରେ ହରାଇବା ପରେ ଉଚ୍ଚ ମନୋବଳ ସହ ଭାରତ ଆସିଥିବା ୱେଷ୍ଟଇଣ୍ଡିଜ୍ ନିଜ ବିଜୟଧାରା ବଜାୟ ରଖିବାକୁ ଚାହିଁବ । ନିକୋଲାସ ପୁରାନଙ୍କ ପରି ପାୱାର ହିଟରଙ୍କ ଉପସ୍ଥିତିରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବେଶ୍ ବିପଜ୍ଜନକ ମନେ ହେଉଛି । ପୁରାନ କ୍ଷଣିକ ମଧ୍ୟରେ ମ୍ୟାଚର ମୋଡ ବଦଳାଇବାର ଦକ୍ଷତା ରଖିଛନ୍ତି । ଆଗକୁ ଆଇପିଏଲ୍ ମେଗା ନିଲାମ ଥିବାରୁ ଫ୍ରାଞ୍ଚାଇଜ ମାନଙ୍କୁ ପ୍ରଭାବିତ କରିବା ପାଇଁ ଚାହିଁବେ ପୁରାନ । ଅଧିନାୟକ କାଇରନ୍ ପୋଲାର୍ଡ ଓ ଅଭିଜ୍ଞ ଅଲରାଉଣ୍ଡର ଜାସନ୍ ହୋଲ୍ଡରଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ।

ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ମୟଙ୍କ ଅଗ୍ରୱାଲ, ଋତୁରାଜ ଗାଏକ୍ୱାଡ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶାନ, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅବେଶ ଖାନ୍ ।

ୱେଷ୍ଟଇଣ୍ଡିଜ୍‌: କାଇରନ୍ ପୋଲାର୍ଡ (ଅଧିନାୟକ), ଫାବିଏନ୍ ଆଲେନ୍‌, ଏନକ୍ରୁମା ବୋନ୍ନର, ଡାରୋନ୍ ବ୍ରାଭୋ, ଶମର୍ ବ୍ରୁକ୍ସ, ଜାସନ୍ ହୋଲ୍ଡର, ଶାଇ ହୋପ୍‌, ଅକିଲ ହୁସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ୍ କିଙ୍ଗ୍‌, ନିକୋଲାସ୍ ପୁରାନ୍‌, କିମାର ରୋଚ୍‌, ରୋମାରିଓ ଶେପାର୍ଡ, ଓଡିଆନ୍ ସ୍ମିଥ୍‌, ହେଡେନ୍ ୱାଲ୍ସ ଜୁନିୟର ।

Comments are closed.