ଆମେରିକା: ଭାରତୀୟଙ୍କୁ ଆଉ ଜଣେ ଭାରତୀୟଙ୍କ ବର୍ଣ୍ଣ ବୈଷମ୍ୟ ଆକ୍ଷେପ, ଭିଡ଼ିଓ ଭାଇରାଲ

ନ୍ୟୁୟର୍କ: ଆମେରିକାର କାଲିଫର୍ଣ୍ଣିଆରେ ଜଣେ ଭାରତୀୟ ଆଉ ଜଣେ ଭାରତୀୟଙ୍କୁ ବର୍ଣ୍ଣ ବୈଷମ୍ୟ ଆକ୍ଷେପ ସହ ଦୁର୍ବ୍ୟବହାର କରିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି । ଅଭିଯୁକ୍ତ ଜଣଙ୍କ ତାଙ୍କ ଦେଶବାସୀଙ୍କୁ ହିଁ ‘କୁତ୍ସିତ ହିନ୍ଦୁ’ ଏବଂ ‘କୁକୁର’ ବୋଲି କହିଛନ୍ତି । ଟେକ୍ସାସରେ ଚାରିଜଣ ଭାରତୀୟ-ଆମେରିକୀୟ ମହିଳାଙ୍କ ଉପରେ ବର୍ଣ୍ଣ ବୈଷମ୍ୟ ଆକ୍ରମଣର କିଛି ଦିନ ପରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ୩୭ ବର୍ଷୀୟ ତେଜିନ୍ଦର ସିଂହ ଅଗଷ୍ଟ ୨୧ରେ କାଲିଫର୍ନିଆର ଫ୍ରେମୋଣ୍ଟ୍ ସ୍ଥିତ ଗ୍ରିମର୍ ବୋଲଭାର୍ଡ ରେଷ୍ଟୁରାଣ୍ଟରେ ଜୟରାମନ ନାମକ ଆଉ ଜଣେ ଭାରତୀୟଙ୍କୁ ଦୁର୍ବ୍ୟବହାର କରିଥିଲେ।

ଫ୍ରେମୋଣ୍ଟ ପୋଲିସ କହିଛି ଯେ ୟୁନିଅନ ସିଟିର ବାସିନ୍ଦା ତେଜିନ୍ଦରଙ୍କ ବିରୋଧରେ ସୋମବାର ନାଗରିକ ଅଧିକାର ଉଲ୍ଲଂଘନ, ଆକ୍ରମଣ ଅଭିଯୋଗ ଓ ଶାନ୍ତି ଉଲ୍ଲଂଘନ ଅଭିଯୋଗ ହୋଇଛି। ଆଠ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଏହି ଘଟଣାକୁ ଜୟରମନ ତାଙ୍କ ଫୋନରେ ରେକର୍ଡ କରିଥିଲେ। ଅଭିଯୁକ୍ତ ତେଜିନ୍ଦର, ଜୟରାମନଙ୍କୁ ଏକ ‘କୁତ୍ସିତ ହିନ୍ଦୁ’ ଓ ‘କୁକୁର’ ବୋଲି କହିଥିଲେ।

ଜୟରାମନ କହିଛନ୍ତି ଯେ ଏହି ଘଟଣାରେ ସେ ଭୟଭୀତ ହୋଇପଡିଥିଲେ । ଅଭିଯୁକ୍ତ ମଧ୍ୟ ଜଣେ ଭାରତୀୟ ବୋଲି ଜାଣିବା ପରେ ସେ ଆହୁରି ନିରାଶ ହୋଇଥିଲେ। ସେ କହିଛନ୍ତି ଯେ ସେ ଏବଂ ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ଫ୍ରେମଣ୍ଟ ପୋଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଜୟରାମନ କହିଛନ୍ତି ଯେ ବ୍ୟକ୍ତି ଜଣକ ଆଠ ମିନିଟରୁ ଅଧିକ ସମୟ ଧରି ତାଙ୍କୁ ଗାଳିଗୁଲଜ କରିଥିଲେ। ଫ୍ରେମଣ୍ଟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଗତ ସପ୍ତାହରେ ମଧ୍ୟ ଆମେରିକାର ଟେକ୍ସାସରେ ଜଣେ ମେକ୍ସିକୋ-ଆମେରିକୀୟ ମହିଳା ଚାରି ଜଣ ଭାରତୀୟ ମହିଳାଙ୍କୁ ବର୍ଣ୍ଣ ବୈଷମ୍ୟ ଆକ୍ଷେପ କରିବା ସହ ଆକ୍ରମଣ କରିଥିଲେ ।

Comments are closed.