ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଗୁଜରାଟ ବିଜେପିରେ ତେଜିଲା ଅସନ୍ତୋଷ

ଅହମ୍ମଦାବାଦ: ମୁଖ୍ୟମନ୍ତ୍ରୀ ବଦଳିବା ପରେ ଗୁଜରାଟ ବିଜେପିରେ ଏବେ ଅସନ୍ତୋଷ ବଢ଼ୁଛି । ନୂଆ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିବା ଜାଣିବା ପରେ ରାଜ୍ୟର ଅନେକ ବରିଷ୍ଠ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଖୋଲାଖୋଲି ଦଳୀୟ ନେତୃବର୍ଗ ବିରୋଧରେ ବିଦ୍ରୋହ କରିଛନ୍ତି । ଏହି କାରଣ ଯୋଗୁଁ ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିବାକୁ ପଡିଥିଲା ବୋଲି ଜଣାପଡିଛି ।

ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଦଳ ଭିତରେ ଅନ୍ତଃ କନ୍ଦଳ ପଦାରେ ପଡିଯାଇଥିଲା । ବିଜୟ ରୂପାନି ସରକାରର ଅନେକ ମନ୍ତ୍ରୀ ନୂଆ ମନ୍ତ୍ରୀମଣ୍ଡଳକୁ ବିରୋଧ କରିଥିଲେ । ଏପରିକି ସେମାନେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣରେ ଯୋଗ ଦେଇନଥିଲେ ।

ରାଜ୍ୟ ବିଜେପିର ସଭାପତି ସିଆର୍ ପାଟିଲ୍ କହିଥିଲେ ଯେ, ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ବୁଧବାର ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅନୁଷ୍ଠିତ ହେବ । ଦଳ ପକ୍ଷରୁ କିନ୍ତୁ ଗୁରୁବାର ଶପଥ ଗ୍ରହଣ ହେବ ବୋଲି କୁହାଯାଇଥିଲା । ହେଲେ ବୁଧବର ଦିନ ରାଜଭବନରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ସେଠାରେ ବଡ଼ ବଡ଼ ପୋଷ୍ଟର ଲଗାଯାଇଥିଲା, ଯେଉଁଥିରେ ଶପଥ ଗ୍ରହଣ ଉତ୍ସବର ତାରିଖ (ସେପ୍ଟେମ୍ବର ୧୫, ବୁଧବାର) ମଧ୍ୟ ଉଲ୍ଲେଖ କରାଯାଇଥିଲା । କିନ୍ତୁ ରାଜଭବନରେ ଅପରାହ୍ନ ସୁଦ୍ଧା କାହାରି ଦେଖା ମିଳିନଥିଲା । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଥିଲା ଯେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଗୁରୁବାର ଅର୍ଥାତ ଆଜି ଅପରାହ୍ନ ସାଢ଼େ ଗୋଟାଏରେ ହେବ । ଏହାପରେ ରାଜଭବନରୁ ଶପଥ ଗ୍ରହଣ ନେଇ ଲାଗିଥିବା ପୋଷ୍ଟର ହଟାଇ ଦିଆଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନିଙ୍କ କାର୍ଯ୍ୟକାଳରେ ମନ୍ତ୍ରୀ ଥିବା ଜଣେ ବିଧାୟକ କହିଛନ୍ତି ଯେ, ନୂଆ ମନ୍ତ୍ରୀମଣ୍ଡଳରେ ସେମାନଙ୍କୁ ସ୍ଥାନ ମିଳିନଥିବା ଜାଣିବା ପର କିଛି ନେତା ରାଜ୍ୟ ନେତୃବର୍ଗ ଉପରେ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଏହାକୁ ବିରୋଧ କରୁଛନ୍ତି । ସେ କହିଛନ୍ତି ଯେ, ନୂଆ ମନ୍ତ୍ରୀମଣ୍ଡଳରୁ ସବୁ ପୁରୁଣା ଓ ବରିଷ୍ଠ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି । ଏଥିପାଇଁ ଆମକୁ ଏହା ବିରୋଧରେ ସ୍ୱର ଉଠାଇବାକୁ ପଡିଥିଲା ।

Comments are closed.