ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖର ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଗୁରୁବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଅଗଷ୍ଟ ୫ରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଧନଖର ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ହରାଇଥିଲେ ।

ଧନଖରଙ୍କୁ ମୋଟ ୫୨୮ ଭୋଟ୍ ମିଳିଥିବାବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ୍ ମିଳିଥିଲା। ଏହି ନିର୍ବାଚନରେ ​​ମୋଟ ୭୨୫ ସାଂସଦ ଭୋଟ୍ ଦେଇଛନ୍ତି । ସେଥିମଧ୍ୟରୁ ୭୧୦ ଭୋଟ୍ ବୈଧ ଥିଲା । ୧୫ ଭୋଟ୍ ନାକଚ ହୋଇଯାଇଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ପ୍ରାୟ ୯୩ ପ୍ରତିଶତ ସାଂସଦ ଭୋଟ୍ ଦେଇଥିବାବେଳେ ୫୦ ରୁ ଅଧିକ ସାଂସଦ ମତାଧିକାର ସାବ୍ୟସ୍ତ କରିନଥିଲେ ।

୭୧ ବର୍ଷୀୟ ଜଗଦୀପ ଧନଖର ବିଦାୟୀ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ସ୍ଥାନ ନେଇଛନ୍ତି । ସେ ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହୋଇଛନ୍ତି। ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହୋଇଥିଲା।

Comments are closed.