ଜୋ ବିଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ନିର୍ବାଚିତ, ୧୯୯୨ ପରେ ପ୍ରଥମ ରାଷ୍ଟ୍ରପତି ଭାବେ ପଦ ବଜାୟ ରଖିବାରେ ଟ୍ରମ୍ପ ବିଫଳ

ୱାଂସିଟନ- ଜୋ ବିଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଆମେରିକାର ପ୍ରମୁଖ ଗଣମାଧ୍ୟମ ବିଡେନ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି । ଡୋନାଲଡ୍ ଟ୍ରମ୍ପଙ୍କୁ ପରାସ୍ତ କରିଛନ୍ତି ବିଡେନ୍ । ୪ ବର୍ଷ ପରେ ପୁଣି ଜଣେ ଡେମୋକ୍ରାଟିକ ପ୍ରାର୍ଥୀ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।

ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା । ତେବେ କିଛି ପ୍ରମୁଖ ରାଜ୍ୟରେ ମତଗଣନା ଅଧିକ ସମୟ ଧରି ଚାଲିଥିବାରୁ ଫଳାଫଳ ବିଳମ୍ବରେ ଆସିଛି । ବିଡେନ୍ ପେନସିଲଭାନିଆ ରାଜ୍ୟରେ ବିଜୟ ହାସଲ କରି ଆବଶ୍ୟକୀୟ ଇଲେକଟୋରାଲ୍ କଲେଜ ଭୋଟ୍ ହାସଲ କରିଥିଲେ ।

୫୩୮ ଇଲେକଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ ବିଜୟ ପାଇଁ ୨୭୦ ଭୋଟ୍ ଆବଶ୍ୟକ ଥିବା ବେଳେ ବିଡେନ୍ ଏହି ସଂଖ୍ୟା ସହଜରେ ହାସଲ କରିନେଇଛନ୍ତି । ପେନସିଲଭାନିଆ ରାଜ୍ୟରେ ବିଜୟ ହାସଲ କରିବା ପରେ ବିଡେନ୍ ରାଷ୍ଟ୍ରପତି ନିର୍ବାତିତ ହୋଇଛନ୍ତି । ବିଡେନ୍ ୨୭୩ ଓ ଟ୍ରମ୍ପ ୨୧୪ଟି ଇଲେକଟୋରାଲ୍ ଭୋଟ୍ ହାସଲ କରିଛନ୍ତି ।

୧୯୯୨ରେ ଜର୍ଜ ଏଚ.ଡବଲ୍ୟୁ ବୁଶଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ କି ଲଗାତର ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବାରେ ବିଫଳ ହୋଇଛନ୍ତି । ବିଡେନ୍ ରାଷ୍ଟ୍ରପତି ନିର୍ବାଚିତ ହେଲା ପରେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଆସନ୍ତାବର୍ଷ ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

Comments are closed.