ଭାରତୀୟ ନୋଟରେ ଗଣେଶ ଓ ଲକ୍ଷ୍ମୀଙ୍କ ଛବି ରହୁ: ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଅପିଲ

ନୂଆଦିଲ୍ଲୀ: ଭାରତୀୟ ନୋଟରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଛବି ଛାପିବା ଉପରେ ବିଚାର କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନୂଆ ନୋଟରେ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଛବି ଛପା ଯାଇପାରିବ ।

ନୂଆ ନୋଟରେ ଗୋଟିଏ ପଟେ ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ପଟେ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଚିତ୍ର ରହୁ ବୋଲି କେଜ୍ରିୱାଲ ପ୍ରସ୍ତାବ ଦେଇଛନ୍ତି ।

ସେ କହିଛନ୍ତି, “ଯଦି ଆମ ସହିତ ଦେବାଦେବୀଙ୍କ ଆଶୀର୍ବାଦ ନ ରହେ ତେବେ ବହୁ ଚେଷ୍ଟା କଲେ ମଧ୍ୟ ଆମ ଉଦ୍ୟମ ସଫଳ ହୁଏ ନାହିଁ। ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଛବି ଆମ ନୋଟ୍ ଗୁଡ଼ିକରେ ଛାପିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ (ମୋଦୀ) କୁ ଅନୁରୋଧ କରୁଛି।”

କେଜ୍ରିୱାଲ କହିଛନ୍ତି, “ଯଦି ଆମର ନୋଟରେ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଚିତ୍ର ଥାଏ, ତେବେ ଆମ ଦେଶ ଉନ୍ନତି କରିବ । ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ମୁଁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବି। ”

ଇଣ୍ଡୋନେସିଆର ଉଦାହରଣ ଦେଇ କେଜ୍ରିୱାଲ କହିଛନ୍ତି, ଏହା ଏକ ମୁସଲିମ ବହୁଳ ଦେଶ ହୋଇଥିଲେ ମଧ୍ୟ ଏହାର ନୋଟରେ ଭଗବାନ ଗଣେଶଙ୍କ ଛବି ରହିଛି ।

ଯଦି ଇଣ୍ଡୋନେସିଆ ଏଭଳି କରିପାରୁଛି, ଆମେ କାହିଁକି କରିପାରିବା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭାରତୀୟ ଅର୍ଥନୀତିର ସ୍ଥିତି ସମ୍ପର୍କରେ କେଜ୍ରିୱାଲ କହିଛନ୍ତି ଯେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର କ୍ରମାଗତ ମୂଲ୍ୟ ହ୍ରାସ ଯୋଗୁଁ ଦେଶ ଏକ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି।

Comments are closed.