ଆଉ ନାହାନ୍ତି କିମ୍ବଦନ୍ତୀ ଗାୟକ ଏସ.ପି ବାଲସୁବ୍ରମଣ୍ୟମ, ୭୪ ବର୍ଷ ବୟସରେ ପରଲୋକ, ୧୬ଟି ଭାରତୀୟ ଭାଷାରେ ଗାଇଥିଲେ ୪୦ ହଜାରରୁ ଅଧିକ ଗୀତ

ଚେନ୍ନାଇ – ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ନିଜର ଯାଦୁକରୀ କଂଠରେ ଭାରତୀୟ ଶ୍ରୋତାଙ୍କୁ ମତୁଆଲା କରିଥିବା କିମ୍ବଦନ୍ତୀ ଗାୟକ ଏସ.ପି ବାଲସୁବ୍ରମଣ୍ୟମ ଆଉ ନାହାନ୍ତି । ଏସପିବି ନାମରେ ଲୋକପ୍ରିୟ ଏହି ମହାନ ଗାୟକ ଚେନ୍ନାଇର ଏକ ଘରୋଇ ହସପିଟାଲରେ ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି । ଅଗଷ୍ଟ ୧୪ତାରିଖରୁ ସେ ଲାଇଫ ସପୋର୍ଟ ସିଷ୍ଟମରେ ଥିଲେ ।ଗତକାଲି ଏସବିପିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହେଲା ପରେ ଅଗଷ୍ଟ ୫ରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ସେପଟେମ୍ବର ୭ରେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ସେ ଭେଂଟିଲେଟରରେ ଥିଲେ ।

ତେଲେଗୁ, ତାମିଲ,ମାଲାୟଲମ, କନ୍ନଡ, ହିନ୍ଦି ସହ ପ୍ରାୟ ସବୁ ପ୍ରମୁଖ ଭାଷାର ଫିଲ୍ମରେ କଂଠଦାନ କରିଥିଲେ ବାଲସୁବ୍ରମଣ୍ୟମ । ପାଶ୍ୱର୍ଗାୟକ ଭାବେ ୧୯୬୬ ମସିହାର ତେଲେଗୁ ଫିଲ୍ମ ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ରମନ୍ନା ଥିଲା ଏସପିବିଙ୍କ ପ୍ରଥମ ଫିଲ୍ମ । ୧୬ଟି ଭାରତୀୟ ଭାଷାରେ ସେ ଫିଲ୍ମ ଓ ଅଣଫିଲ୍ମ ଗୀତ ଗାଇଛନ୍ତି । ୪୦ ହଜାରରୁ ଅଧିକ ଗୀତ ରେକର୍ଡ କରିଛନ୍ତି ଏସପିବି । ତେଲେଗୁ ଫିଲ୍ମ ଶଙ୍କରାଭରଣମ ପାଇଁ ପ୍ରଥମ ଥର ପାଇଁ ସେ ଶ୍ରେଷ୍ଠ ଗାୟକ ଭାବେ ପାଇଥିଲେ ଜାତୀୟ ପୁରସ୍କାର । ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଇଲାୟାରାଜାଙ୍କ ସହ ଏସପିବିଙ୍କ ଯୋଡି ବେଶ୍ ଲୋକପ୍ରିୟ ଥିଲା । ଇଲାୟାରାଜାଙ୍କ ସଂଗୀତ ନିର୍ଦ୍ଦେଶନାରେ ଏସପିବି ତେଲେଗୁ ଓ ତାମିଲ ଭାଷାରେ ଅନେକ କାଳଜୟୀ ଫିଲ୍ମ ଗୀତରେ କଂଠଦାନ କରିଥିଲେ ।

Comments are closed.