କେନ୍ଦ୍ରର ଅନୁରୋଧ ଖାରଜ କଲେ ସୁପ୍ରିମକୋର୍ଟ, ଆସନ୍ତା ବର୍ଷ ନୁହେଁ ଚଳିତ ବର୍ଷରୁ ହିଁ ଏନଡିଏ ପରୀକ୍ଷା ଦେବେ ମହିଳା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ନୁହେଁ ଚଳିତ ବର୍ଷ ଠାରୁ ହିଁ ମହିଳାମାନେ ଏନଡିଏ ପ୍ରବେଶିକା ପରୀକ୍ଷା ଦେବେ । ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନଡିଏ ପ୍ରବେଶିକା ପରୀକ୍ଷାରେ ମହିଳା ପ୍ରାର୍ଥୀଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଡିଏରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏନଡିଏ ପ୍ରବେଶିକା ପରୀକ୍ଷା ୧୪ ନଭେମ୍ବରରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ପରିବର୍ତ୍ତେ ଆସନ୍ତା ବର୍ଷରୁ ମହିଳାଙ୍କୁ ଏନଡିଏ ପରୀକ୍ଷାରେ ଅନୁମତି ଦିଆଯିବ ବୋଲି କେନ୍ଦ୍ରର ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଗୋଟିଏ ବର୍ଷର ବିଳମ୍ବ ସବୁକିଛି ବିଗାଡି ଦେଇପାରେ। ‘ଆଜି ନୁହେଁ ଆସନ୍ତାକାଲି ପରୀକ୍ଷା ହେବ’ ବୋଲି କହିବା ଦ୍ବାରା ମହିଳାଙ୍କ ମନୋବଳ ଭାଙ୍ଗିଯିବ ଏହା ସେମାନଙ୍କ ଆଶା ଆକାଂକ୍ଷା ବିରୋଧରେ ଯିବ ‌। ଆମେ କେନ୍ଦ୍ରର ସମସ୍ୟା ବୁଝୁଛୁ, କିନ୍ତୁ ବିଶେଷଜ୍ଞ କମିଟି ମହିଳାଙ୍କ ପାଇଁ ଏନଡିଏ ପରୀକ୍ଷା ପ୍ରସ୍ତୁତି ଚୂଡାନ୍ତ କରିବ। ଏଥିପାଇଁ ପ୍ରତିରକ୍ଷା ବିଭାଗକୁ ଆମେ କିଛି ରାସ୍ତା ଦେଖାଇବୁ ବୋଲି କୋର୍ଟ କହିଛନ୍ତି ‌।

କୋର୍ଟ କହିଛନ୍ତି ଯେ ପରୀକ୍ଷା ପରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ସରକାର କୋର୍ଟଙ୍କୁ ଜଣାଇ ପାରିବେ। ଜାନୁଆରୀ ତୃତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ।
ଜଷ୍ଟିସ ଏସ.କେ କୌଲ୍ କହିଛନ୍ତି ଯେ ଆମେ ପ୍ରକ୍ରିୟା ବିଳମ୍ବ କରିବାକୁ ଚାହୁଁନାହୁଁ କିନ୍ତୁ ୟୁପିଏସସି ଏନଡିଏ ପରୀକ୍ଷା ସମ୍ପର୍କରେ କେବେ ବିଜ୍ଞପ୍ତି ପ୍ରକାଶ କରିବ ସେ ସମ୍ପର୍କରେ ଆମେ ସମୟ ସୀମା ସ୍ଥିର କରିବୁ ନାହିଁ |

ଉଲ୍ଲେଖଯୋଗ୍ୟ ଯେ, ଏନଡିଏରୁ ମହିଳାଙ୍କୁ ଦୂରେଇ ରଖାଯିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ଏକ ଭେଦଭାବ ପୂର୍ଣ୍ଣ ଆଭିମୁଖ୍ୟ ବୋଲି କୋର୍ଟ କହିବା ସହ ଚଳିତ ଥର ଏନଡିଏ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ମହିଳାଙ୍କୁ ଏନଡିଏରେ ଭର୍ତ୍ତି କରାଯିବ ବୋଲି ଏହି ମାସ ପ୍ରାରମ୍ଭରେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ ।

Comments are closed.