୩୨ ବର୍ଷ ତଳର ହତ୍ୟା ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍

ବାରାଣସୀ: କଂଗ୍ରେସ ନେତା ଅବଧେଶ ରାୟ ହତ୍ୟା ମାମଲାରେ ମାଫିଆରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କୁ ସୋମବାର ବାରାଣସୀର ଏମପି/ଏମ୍ଏଲ୍ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନସାରୀ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ପରିସର ତଥା ସହରର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି।

ମୁଖତାର ଅନସାରୀଙ୍କ ସହ ପୂର୍ବତନ ବିଧାୟକ ଅବଦୁଲ କଲାମ, ଭୀମ ସିଂ, କମଲେଶ ସିଂ ଏବଂ ରାକେଶ ଶ୍ରୀବାସ୍ତବ ଓରଫ୍ ରାକେଶ ନାୟକ ମଧ୍ୟ ଏହି ୩୨ ବର୍ଷ ତଳର ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଅବଧେଶ ରାୟଙ୍କ ଭାଇ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଜୟ ରାୟଙ୍କ ଅଭିଯୋଗ କ୍ରମେ ଚେତଗଞ୍ଜ ପୋଲିସ ଥାନାରେ ଅନସାରୀ ଓ ଉପରୋକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

୧୯୯୧ ମସିହା ଅଗଷ୍ଟ ୩ରେ ବାରାଣସୀର ଚେତଗଞ୍ଜ ପୋଲିସ ଥାନା ଅନ୍ତର୍ଗତ ଲହୁରାବିର ଅଞ୍ଚଳରେ ଅବଧେଶ ରାୟଙ୍କୁ ହତ୍ୟା କରାଯାଇଥିଲା।

ପାଞ୍ଚ ଥର ବିଧାୟକ ମୁଖତାର ଅନସାରୀଙ୍କ ବିରୋଧରେ ଥିବା ୬୧ଟି ମାମଲା ମଧ୍ୟରୁ ଏହା ହେଉଛି ପଞ୍ଚମ ମାମଲା ଯେଉଁଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ‌‌। ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ତାଙ୍କୁ ଆଉ ଏକ ଅପହରଣ ଓ ହତ୍ୟା ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା ।

ମୁଖତାର ଅନସାରୀ ବର୍ତ୍ତମାନ ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଅଛନ୍ତି। ଏହି ହତ୍ୟା ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ ଅବଦୁଲ କଲାମ ଏବଂ କମଲେଶ ସିଂଙ୍କ ଏହା ମଧ୍ୟରେ ମୃତ୍ୟୁ ହୋଇସାରିଛି।

Comments are closed.