କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଖୋର୍ଧା –କଟକ ଜିଲ୍ଲାରେ ଅଧିକ ଫୋକସ ପାଇଁ ଆହ୍ୱାନ, ବ୍ରହ୍ମପୁର ମଡେଲ ଅନୁସରଣ ପାଇଁ କଟକ-ଭୁବନେଶ୍ୱର ପୌର ପ୍ରଶାସନକୁ ନିର୍ଦ୍ଦେଶ

ଭୁବନେଶ୍ୱର- ଆସନ୍ତା ସପ୍ତାହ ମଧ୍ୟରେ ଭୁବନେଶ୍ୱର ଓ କଟକରେ କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତିର ସମୀକ୍ଷା କରଥିଲେି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟରେ କୋଭିଡରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 

ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଧା ଜିଲ୍ଲାର ପରିସ୍ଥିତି ଉପରେ ଅଧିକ ଫୋକସ୍ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ଦୁଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଓ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ଗୁରୁତ୍ୱ ଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ଆଇସିୟୁ ବେଡ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତା ସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନଓ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ କୋଭିଡ ନିୟମାବଳୀ ଉଲ୍ଲଂଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ପୋଲିସ, ସ୍ୱାସ୍ଥ୍ୟ ବିଭାଗ ଓ ପୌରସଂସ୍ଥା ପରସ୍ପର ସମନ୍ୱୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଅନେକ ଲୋକ ଠିକ୍ ଭାବେ ନିୟମାବଳୀ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁଁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଦେଇଥିଲେ । ଗଂଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟ ଜିଲ୍ଲାରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ବ୍ରହ୍ମପୁର ମଡେଲ୍ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ୱର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଧା ଓ କଟକ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ଜିଲ୍ଲାମାନଙ୍କରେ କୋଭିଡ ସ୍ଥିତିରେ ଉନ୍ନତି ଆସିଛି,ସେଠାରେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଟିଏମସି, କୋଭିଡ କେୟାର ସେଂଟର ଓ କୋଭିଡ କେୟାର ହୋମ ବନ୍ଦ କରିବା ପାଇଁ ନିଷ୍ପତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଭିନ୍ନ ସରକାରୀ କର୍ମଚାରୀମାନେ ସଂକ୍ରମିତ ହେଉଥିବା ଖବରରେ ଉଦବେଗ ପ୍ରକାଶ କରିଥିଲେ ନିୟମ । ସରକାରୀ ଅଫିସରେ କୋଭିଡ ନିୟମାବଳୀକୁ ଆହୁରି କଡାକଡି ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ହଟସ୍ପଟ୍ ଜିଲ୍ଲାକୁ ଅଧିକ ଡାକ୍ତର ଓ ପ୍ରଶାସନିକ ଅଧିକାରୀ ପଠାଯିବ ବୋଲି ବୈଠକରେ ଉପସ୍ଥିତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ । ଗୁରୁତର ରୋଗୀଙ୍କ ପାଇଁ ଷ୍ଟେପ୍ ଡାଉନ ଆଇସିୟୁ ସୁବିଧା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଥିଲେ ।

Comments are closed.