କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୩୮,୬୨୮ ନୂଆ ମାମଲା, ଟିକାକରଣ ସଂଖ୍ୟା ଛୁଇଁଲା ୫୦ କୋଟି

ନୂଆଦିଲ୍ଲୀ: ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ୪୦ ହଜାରରୁ କମ୍ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। କିନ୍ତୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏହି ମାସରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୬୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୮,୬୨୮ ନୂଆ କରୋନା ମାମଲା ରୁଜୁ ହୋଇଛି ​​ଏବଂ ୬୧୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଯଦିଓ ସାରା ଦେଶରେ ଗତ ୨୫ ଘଣ୍ଟା ମଧ୍ୟରେ ୪୦,୦୧୭ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ୧୦୦୬ ସକ୍ରିୟ ମାମଲା ହ୍ରାସ ପାଇଛି।

ଏହାପୂର୍ବରୁ ଅଗଷ୍ଟ ୨ ରେ ୩୦,୫୪୯ କରୋନା ମାମଲା ଆସିଥିଲା। ଏହା ବ୍ୟତୀତ ୧ ଅଗଷ୍ଟରେ ୪୦୧୩୪ କରୋନା ମାମଲା, ୩ ଅଗଷ୍ଟରେ ୪୨୬୨୫, ୪ ଅଗଷ୍ଟରେ ୪୨୯୭୨, ୫ ଅଗଷ୍ଟରେ ୪୪୬୪୩ କରୋନା ମାମଲା ରିପୋର୍ଟ ହୋଇଥିଲା।

ମହାମାରୀ ଆରମ୍ଭରୁ ଏଯାବତ ଭାରତରେ ମୋଟ ତିନି କୋଟି ୧୮ ଲକ୍ଷ ୯୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୨୭ ହଜାର ୩୭୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୩ କୋଟି ୧୦ ଲକ୍ଷ ୫୫ ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ ଅଧିକ। ସମୁଦାୟ ୪ ଲକ୍ଷ ୧୨ ହଜାର ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅଗଷ୍ଟ ୬ ପର୍ଯ୍ୟନ୍ତ ସାରା ଦେଶରେ ୫୦ କୋଟି ୧୦ ଲକ୍ଷ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୪୯.୫୫ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୪୭ କୋଟି ୮୩ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତକାଲି ପ୍ରାୟ ୧୮ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ |

Comments are closed.