ବିରାଟ ବ୍ୟବସାୟ ପାଇଁ ବାଟ ଫିଟାଇଲା ମିଶନ ଶକ୍ତି : ଆକର୍ଷଣର କେନ୍ଦ୍ର ପାଲଟିଛି ସମ୍ବଲପୁରୀ ରାକ୍ଷୀର ପସରା

ସମ୍ବଲପୁର : ଆଉ ମାତ୍ର ୩ ଦିନ ପରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା | ଭାଇ ଭଉଣୀର ପବିତ୍ର ବନ୍ଧନର ଏହି ପର୍ବକୁ ସାରା ଦେଶରେ ବେଶ୍ ଉତ୍ସାହ ଉଦ୍ଦିପନାର ସହ ପାଳନ କରାଯାଇଥାଏ । ଏଥିପାଇଁ ବେଶ୍ କିଛି ସପ୍ତାହ ପୂର୍ବରୁ ସହର ଠାରୁ ଆରମ୍ଭ କରି ଗାଁ ଯାଏ ରାକ୍ଷୀର ପସରା ମେଳିଥାଏ । ଏବର୍ଷ ବି ସବୁଠି ରାକ୍ଷୀ ଷ୍ଟଲ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି । ହେଲେ ଏବର୍ଷର ଷ୍ଟଲ ମଧ୍ୟରେ ସମ୍ବଲପୁରରେ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଛି ମିଶନ ଶକ୍ତିର ରାକ୍ଷୀ ଷ୍ଟଲ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ରାକ୍ଷୀର ପସରା ମେଳିଥିବା ବେଳେ ଏଥିରେ ସମ୍ବଲପୁରୀ ରାକ୍ଷୀ ମୁଖ୍ୟ ଆକର୍ଷଣ ପାଲଟିଛି । ତେବେ , ଏହାର ଚାହିଦା ରାତାରାତି ଏତେ ମାତ୍ରାରେ ବଢିଯାଇଛି ଯେ , ଆଗାମୀ ବର୍ଷ ଗୁଡିକରେ ଏହାର ଅଧିକ ବେପାର ପାଇଁ ମିଶନ ଶକ୍ତି ବାଟ ଦେଖାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ମିଶନ ଶକ୍ତିର ଏଭଳି ପ୍ରଚେଷ୍ଟା ଦ୍ଵାରା ସମ୍ବଲପୁରୀ ବୁଣାକାରଠାରୁ ଆରମ୍ଭ କରି ଏହାର ବ୍ୟବସାୟ କରୁଥିବା ଲୋକେ ବେଶ୍ ଉପକୃତ ହେବାକୁ ଯାଉଛନ୍ତି ।

ସମ୍ବଲପୁର ସହରର ବହୁ ସ୍ଥାନରେ ଏବର୍ଷ ରାକ୍ଷୀ ଷ୍ଟଲ୍ ଖୋଲିଥିବା ଦେଖିବାକୁ ମିଳିଛି । ହେଲେ ସହରର ବ୍ୟସ୍ତବହୁଳ ଗୋଲବଜାର ଛକରେ ଖୋଲିଥିବା ଏକ ଷ୍ଟଲର ଚର୍ଚ୍ଚା ଏବେ ସବୁଠି ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓରମାସ୍‌ର ମିଳିତ ଉଦ୍ୟମରେ ଖୋଲିଥିବା ଏହି ଷ୍ଟଲ୍ ଚର୍ଚ୍ଚାର ପରିସରକୁ ଆସିଛି । ନିଆରା ରାକ୍ଷୀର ପସରା ନାଁରେ ଖୋଲିଥିବା ଏହି ଷ୍ଟଲରେ ବାସ୍ତବିକ ନିଆରା ଧରଣର ରାକ୍ଷୀ ହିଁ ଦେଖିବାକୁ ମିଳୁଛି । ଏଠାରେ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ କପଡାରେ ଆକର୍ଷଣୀୟ ଭାବେ ତିଆରି ହୋଇଥିବା ଭେଳିକି ଭେଳି ରାକ୍ଷୀର ପସରା ମେଳିଛି । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ହାତ ତିଆରି ଏହି ରାକ୍ଷୀର ଚାହିଦା ବି ମାତ୍ର ଦିନ କେଇଟା ମଧ୍ୟରେ ଆକାଶଛୁଆଁ ହୋଇଯାଇଛି । ଏହାର ଚାହିଦା ଏତେ ମାତ୍ରାରେ ବଢିଛି ଯେ , ଆବଶ୍ୟକ ମୁତାବକ ଯୋଗାଇବା ସମ୍ଭବ ହୋଇପାରୁନାହିଁ ।

ଓରମାସ୍ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ , ସମ୍ବଲପୁରୀ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଇଛି । ତେବେ , ଏହା ଆଗକୁ ବିରାଟ ବ୍ୟବସାୟ ପାଇଁ ବାଟ ଫିଟାଇଲା ବୋଲି ଉଭୟ ବିଭାଗ ପକ୍ଷରୁ କୁହାଯାଇଛି । ଦିନକୁ ଦିନ ସମ୍ବଲପୁରୀ ବସ୍ତ୍ରର ଚାହିଦା ବଢି ଚାଲିଥିବା ବେଳେ ଏବେ ରାକ୍ଷୀରେ ସମ୍ବଲପୁରୀ ବାନ୍ଧର କାରୁକାର୍ଯ୍ୟ ଏହାକୁ ଅଧିକ ବିଶ୍ୱବିଦିତ କରିବ ବୋଲି ଆଶାପ୍ରକାଶ ପାଇଛି । ତେବେ , ମିଶନ ଶକ୍ତି ଏବଂ ଓରମାସର ଏଭଳି ପ୍ରଚେଷ୍ଟାକୁ ସବୁ ବୁଣାକାର ତଥା ସମ୍ବଲପୁରୀ ବସ୍ତ୍ର ବ୍ୟବସାୟୀ ମହଲରେ ସ୍ଵାଗତ କରାଯାଇଛି ।

Comments are closed.