ନୂଆଁଖାଇରେ ମନେ ପଡ଼ନ୍ତି ବିଜୁ ବାବୁ, ପଞ୍ଚମୀ ତିଥିର ଜନାଦୃତିରେ ଟଲ୍ ମ୍ୟାନ୍‌ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ

ସମ୍ବଲପୁର : ଗତକାଲି ଥିଲା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ସାରା ପଶ୍ଚିମ ଓଡିଶା ଗୋଟିଏ ଭାବଧାରାରେ ଯୋଡି ହୋଇଯାଇଛି । ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇର ନିଆରାପଣରେ ସାରା ବିଶ୍ୱରେ ଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀ ଏକାକାର ହୋଇଯାଇଛନ୍ତି । ତେବେ , ଏକ ନିର୍ଦ୍ଦିଷ୍ଟ ଦିନରେ ଏହି ପର୍ବ ପାଳନ ପଛରେ ରହିଥିବା ଚମକପ୍ରଦ ଇତିହାସକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଉ ଏହାର ଜନାଦୃତି ପଛରେ ରହିଥିବା କଳିଙ୍ଗ ବୀର ସର୍ଗତ ବିଜୁ ପଟ୍ଟନାୟକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ମଧ୍ୟ ପ୍ରତିଟି ସଚେତନ ବ୍ୟକ୍ତି ମନେ ପକାଉଛନ୍ତି ।

ନୂଆଁଖାଇର ବିଶେଷତ୍ଵ ଯେତିକି ମହାନ , ଏହାର ଇତିହାସ ବି ସେତିକି ସମୃଦ୍ଧ । ଏହାର ପ୍ରାଚୀନତା ପୁରାଣ ଯୁଗରୁ ବର୍ଣ୍ଣିତ ହୋଇଆସିଛି । ଶସ୍ୟ ପୂଜାର ପରମ୍ପରା ଆଦିମ କାଳରୁ ଚାଲି ଆସିଛି । ବେଦରେ ମଧ୍ୟ ଶସ୍ୟ ବା ଅନ୍ନ ପୂଜାର କଥା ବର୍ଣ୍ଣିତ ହୋଇଆସିଛି । ଏହି ଆଧାରରେ ନୂଆଁଖାଇ ବି ବେଶ୍ ପ୍ରାଚୀନ ପର୍ବ । ଦେଶର ପ୍ରତିଟି ପ୍ରାନ୍ତରେ ନବାନ୍ନ ଭକ୍ଷଣର ପରମ୍ପରା ରହିଛି । କେଉଁଠି ଏହାକୁ ବୈଶାଖୀ କୁହାଯାଉଥିବା ବେଳେ ଆଉ କେଉଁଠି ପୋଙ୍ଗଲ ନାମରେ ପରିଚିତ । ତେବେ , ପଶ୍ଚିମ ଓଡିଶାର ନୂଆଁଖାଇ ତାର ସତନ୍ତ୍ରତା ରଖି ଆସିଛି ।

ତେବେ , ୩ ଦଶନ୍ଧି ପୂର୍ବରୁ ନୂଆଁଖାଇ ଭାଦ୍ରବ ମାସରେ ଭିନ୍ନ ଭିନ୍ନ ତିଥିରେ ଭିନ୍ନ ଭିନ୍ନ ଅଞ୍ଚଳରେ ପାଳିତ ହେଉଥିଲା । ହେଲେ ୧୯୯୧ ମସିହାରେ ଏହି ପର୍ବକୁ ଗୋଟିଏ ଦିନରେ ସବୁଠି ପାଳନ କରିବାକୁ ସମ୍ବଲପୁର ମାଟିରୁ ଏକ ଉଦ୍ୟମ ଆରମ୍ଭ ହୋଇଥିଲା । ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସାରା ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନକୁ ନେଇ ସମ୍ବଲପୁରର ପୌର ପରିଷଧ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ ତଥା ଶ୍ରମିକ ନେତା ପ୍ରଫେସର ଦୁର୍ଗାପ୍ରସାଦ ନାୟକ ଏଥିରେ ସଭା ପରିଚାଳନା କରିଥିଲେ । ଏଥିରେ ସବୁ ଅଞ୍ଚଳର ରାଜା ରାଜୁଡା ଜମିଦାର , ଗୌନ୍ତିଆ , ରାଜନେତା , ସାମାଜିକ କର୍ମୀ ଆଦି ଯୋଗଦେଇଥିଲେ । ଅନେକ ପର୍ଯ୍ୟାଲୋଚନା ପରେ ପଞ୍ଚମୀ ତିଥିରେ ନୂଆଁଖାଇବାକୁ ସ୍ଥିର ହୋଇଥିଲା ।

ଏହାର କାରଣ ଥିଲା ଯେ , ଚତୁର୍ଥୀ ଦିନ ଗଣେଷ ପୂଜା ଥିବାରୁ ଛୁଟି ରହିଥାଏ । ତେଣୁ , ଦୂରଦୁରାନ୍ତରେ ରହୁଥିବା ଲୋକଙ୍କୁ ଘରକୁ ଫେରିବାକୁ ସୁବିଧା ହୋଇପାରିବ ବୋଲି ଚିନ୍ତା କରାଯାଇଥିଲା । ଏନେଇ ପରେ ଓଡିଶା ସାଂସ୍କୃତିକ ସମାଜର କର୍ମକର୍ତ୍ତାଙ୍କ ସହ ଅନେକ ବୁଦ୍ଧିଜୀବୀ ବିଭିନ୍ନ ଜିଲ୍ଲା ବୁଲି ପ୍ରଚାର କରିଥିଲେ । ଆଉ ସେହି ବର୍ଷରୁ ପଶ୍ଚିମ ଓଡିଶାର କାଁ ଭାଁ କିଛି ଅଞ୍ଚଳକୁ ଛାଡି ଅନ୍ୟ ସବୁଠି ପଞ୍ଚମୀ ତିଥିରେ ହିଁ ନୂଆଁ ଖାଇଥିଲେ । ହେଲେ ପରବର୍ତ୍ତୀ ବର୍ଷ ଗୁଡିକରେ ଏହି ତିଥିରେ ସାରା ପଶ୍ଚିମ ଓଡିଶା ଏକାକାର ହୋଇଯାଇଥିଲା । ବର୍ତ୍ତମାନ କେବଳ କଳାହାଣ୍ଡିର ଭବାନୀପାଟଣା ସଦର ଅଞ୍ଚଳର ଲୋକେ ମାଁ ମାଣିକେଶ୍ଵରୀଙ୍କ ପରମ୍ପରା ଅନୁଯାୟୀ , ଦଶମୀ ତିଥିରେ ନୂଆଁ ଖାଉଥିବା ବେଳେ ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳର ଲୋକେ ବି ପଞ୍ଚମୀ ତିଥିରେ ନୂଆଁ ଖାଉଛନ୍ତି ।

ତେବେ , ଏହି ପଞ୍ଚମୀ ତିଥିର ମହକକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଅଧିକ ରୁଦ୍ଧିମନ୍ତ କରିଥିଲେ । ଲୋକଙ୍କ ଭାବାବେଗକୁ ଦେଖି ଏହି ଦିନକୁ ସେ ଛୁଟି ଘୋଷଣା କରି ପଶ୍ଚିମ ଓଡିଶାବାସୀଙ୍କ ମନ ଜିଣି ନେଇଥିଲେ । ଏହା ପରଠାରୁ ପଞ୍ଚମୀ ତିଥି ସର୍ବତ୍ର ଜନାଦୃତ ଲାଭ କରିଥିଲା । ଏପରିକି ଛତିଶଗଡରେ ଏହି ତିଥିରେ ନୂଆଁଖାଇ ପାଳନ ନେଇ ସେଭଳି କୌଣସି ପ୍ରଚାର ପ୍ରସାର ହୋଇନଥିଲେ ହେଁ ଦୀର୍ଘ ବର୍ଷ ହେଲା ସେଠାରେ ବି ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଛି । ଛତିଶଗଡି ଭାଷାରେ ଏହାକୁ ନଓ୍ବାଖାଇ କୁହାଯାଇଥାଏ । ପଶ୍ଚିମ ଓଡ଼ିଶାର ସଂସ୍କୃତି ଦ୍ବାରା ପ୍ରଭାବିତ ହୋଇଥିବା ପଡୋଶୀ ଛତିଶଗଡ଼ର ରାୟଗଡ , ଜାଙ୍ଗିର , ଚାମ୍ପା , ଅମ୍ବିକାପୁର , ରାୟପୁର , ସୁରୁଜଗଡ , ବସନା ଆଦି ଜିଲ୍ଲା ଗୁଡିକରେ ମଧ୍ୟ ପଞ୍ଚମୀ ତିଥିରେ ନୂଆଁଖାଇ ଧୁମଧାମରେ ପାଳନ ହୋଇଆସୁଛି । ଏପରିକି ସେଠିକାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ପୁରା ସରକାର ନୂଆଁଖାଇରେ ନିଜ ରାଜ୍ୟବାସୀଙ୍କ ସହ ସାମିଲ ହେଉଛନ୍ତି ।

ଆଉ ଏହି ତିଥିର ମହକ ସାଙ୍ଗକୁ ସଂସ୍କୃତିକ ଏକତା ରକ୍ଷା ଦିଗରେ ବିଜୁ ବାବୁଙ୍କ ଭୂମିକା ଅବିସ୍ମରଣୀୟ ହୋଇ ରହିବ ବୋଲି ସବୁ ଚିନ୍ତାଶୀଳ ବ୍ୟକ୍ତି ଆଜି ବି ମତବ୍ୟକ୍ତ କରିଆସୁଛନ୍ତି ।

Comments are closed.