ବିଶେଷ ପ୍ରଭାବ ପକାଇ ନାହିଁ ବାତ୍ୟା ଗୁଲାବ, କୋରାପୁଟ ପଟାଙ୍ଗୀ ବ୍ଲକରେ ୧୪୫ ମିମି ବର୍ଷା

ଭୁବନେଶ୍ୱର – ବାତ୍ୟା ଗୁଲାବ ରାଜ୍ୟରେ ବିଶେଷ ପ୍ରଭାବ ପକାଇ ପାରି ନାହିଁ । କୌଣସି ସ୍ଥାନରେ ବଡ ପବନ ହୋଇନାହିଁ । ଏହି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଗୁଲାବ ଓଡିଶା ଅତିକ୍ରମ କରିବେ ବୋଲି ଏସଆରସି କହିଛନ୍ତି । ବାତ୍ୟା ଏବେ ତୀବ୍ର ଅବପାତରେ ରହିଛି । ଦୁଇ ଘଣ୍ଟା ପରେ ଏହା ଅବପାତରେ ପରିଣତ ହେବ । ବାତ୍ୟା ପ୍ରଭାବରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ୧୪୫ ମିମି ବର୍ଷା ରେକର୍ଡ ହୋଇଛି । ମାଲକାନଗିରି ଜିଲ୍ଲାର ଗୋଟିଏ ବ୍ଲକରେ ୧୦୭ ମିମି ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି । ଏହି ଜିଲ୍ଲାରେ ୫୦ରୁ ୬୦ ଗଛ ଭାଙ୍ଗିଛି । କୌଣସି ସ୍ଥାନରେ ସେମିତି ବିଶେଷ ବର୍ଷା କି ପବନ ହୋଇନାହିଁ ବୋଲି କହିଛନ୍ତି ଏସଆରସି । ଜିଲ୍ଲାପାଳମାନଙ୍କୁ ୫ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ବାତ୍ୟା ସତର୍କତା ପଦକ୍ଷେପ ସ୍ୱରୂପ ୪୬ ହଜାର ୭୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ଆଶ୍ରୟ ସ୍ଥଳୀରେ ସେମାନଙ୍କୁ ରଖାଯାଇଥିଲା । ୧୫ ଶହ ୩୩ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

Comments are closed.