ସୁନ୍ଦରଗଡ଼ : ପିଲାଙ୍କ ମନରେ ଉତ୍ସାହ ଭରୁଛି ହାଇସ୍କୁଲ ରୂପାନ୍ତରଣ

ସୁନ୍ଦରଗଡ଼ : କୁତ୍ରା ହାଇସ୍କୁଲ ଛାତ୍ର ଛାତ୍ରୀ କେବେ କଳ୍ପନା କରିନଥିଲେ ଯେ ଦିନେ ସେମାନେ ଏଭଳି ଏକ ବାତାବରଣ ଭିତରେ ପାଠ ପଢିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଆଜି ଏମାନଙ୍କ ମନରେ ଉତ୍ସାହ ଭରିଦେଇଛି । ଆମ ସ୍କୁଲର ଚେହେରା ପୂରା ବଦଳି ଯାଇଛି। ଆଗର ପୁରୁଣା ଡେସ୍କ ବେଞ୍ଚ ନାହିଁ କି ସେ କଳାପଟା ଆଉ ନାହିଁ। ଏଣିକି ଆମେ ସ୍ମାର୍ଟ କ୍ଲାସରୁମରେ ବସି ପାଠ ପଢ଼ିବା ସହ ଇ-ଲାଇବ୍ରେରିର ସୁବିଧା ପାଇଛୁ। ଏହା ଆମ ପାଠ ପଢ଼ିବାର ଢାଞ୍ଚାକୁ ପୂରା ବଦଳାଇ ଦେଇଛି। ଫଳରେ ଆମ ଭଳି ଅନେକ ପିଲାଙ୍କର ସ୍ୱପ୍ନ ଏବେ ସାକାର ହୋଇପାରିବ’’, ‘‘୫-ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ନେଇ କିଛି ଏଭଳି କହିଛନ୍ତି ଏହି ସ୍କୁଲର ଦୁଇ ଛାତ୍ରୀ ପିରୁ ଓ ପାୟଲ ।

ସେହିପରି କୁଆରମୁଣ୍ଡା ବ୍ଲକ୍ କୁମଝରିଆ ସରକାରୀ ହାଇସ୍କୁଲର ଛାତ୍ର ହିମାଂଶୁ ମହାନନ୍ଦିଆ କହିଛନ୍ତି ଯେ, ‘‘ଛୋଟ ବେଳୁ ମୁଁ ଘରୋଇ ସ୍କୁଲରେ ପାଠ ପଢ଼ୁଥିଲି। ହେଲେ ସେଠାରେ ଅଧିକ ଫିସ୍ ପଡ଼ୁଥିବାରୁ ମୋ’ ପରିବାର ପାଇଁ ସମସ୍ୟା ହେଉଥିଲା। ଏବେ ମୁଁ ସରକାରୀ ହାଇସ୍କୁଲରେ ପଢ଼ୁଛି। ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲକୁ ଆସିବା ବେଳେ ଭବିଷ୍ୟତକୁ ନେଇ ମୋ’ ମନରେ କେତେକ ଚିନ୍ତାରେ ଥିଲା। କିନ୍ତୁ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆମ ସ୍କୁଲର ରୂପରେଖ ବଦଳିଛି। ଫଳରେ ଏବେ ମୋ’ ମନରେ ସାହସ ଆସିଛି ଯେ, ମୁଁ ମୋ’ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି।’’

କେବଳ ଅଙ୍କିତା ପିରୁ, ପାୟଲ ବାରିକ କିମ୍ବା ହିମାଂଶୁ ମହାନନ୍ଦିଆ ନୁହନ୍ତି, ସେମାନଙ୍କ ଭଳି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପଢ଼ୁଥିବା ଅନେକ ଛାତ୍ରଛାତ୍ରୀଙ୍କ ମନରେ ଏବେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। କାରଣ ରାଜ୍ୟ ସରକାରଙ୍କ ୫-ଟି ଓ ମୋ’ ସରକାର ଅଧୀନରେ ଏବେ ସରକାରୀ ହାଇସ୍କୁଲର ଚିତ୍ର ବଦଳିବାକୁ ଲାଗିଛି। ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣରେ କେତେକ ବିଦ୍ୟାଳୟ ନୂଆ ରୂପରେ ଝଲସୁଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ, ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ଟିଆରଡବ୍ଲ୍ୟୁ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆଜି ସରକାରୀ ହାଇସ୍କୁଲର ପରିବେଶ ସହ ଶିକ୍ଷାଦାନର ଧାରାରେ ଆଖିଦୃଶିଆ ଉନ୍ନତି ଆଣିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ବିଶେଷ କରି ସ୍ମାର୍ଟ କ୍ଲାସ୍ ଶିଖାଇବା ଓ ଶିଖିବାର ଧାରାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଭିଡିଓ, ବିଭିନ୍ନ ପ୍ରକାରର ଆନିମେସନ ଏବଂ ପିପିଟି ଆଦି ବ୍ୟବହାର କରି ଏବେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେହିପରି ସ୍କୁଲରେ ଆଧୁନିକ ବିଜ୍ଞାନାଗାର ହେବା ଫଳରେ ଛାତ୍ରଛାତ୍ରୀମାନେ ନିଜ ହାତରେ ବିଭିନ୍ନ ପ୍ରକାରର ବୈଜ୍ଞାନିକ ପ୍ରୟୋଗ କରିପାରୁଛନ୍ତି। ତା’ ସାଙ୍ଗକୁ ପ୍ରସ୍ତୁତ ହୋଇଥିବା କମ୍ପ୍ୟୁଟର ଲ୍ୟାବ୍ ଏବଂ ଇ-ଲାଇବ୍ରେରି ପିଲାଙ୍କୁ ସାରା ପୃଥିବୀର ଜ୍ଞାନ ବିଜ୍ଞାନ ସହିତ ଯୋଡ଼ି ପାରୁଛି।

ଖେଳପଡ଼ିଆର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ପାଠପଢ଼ା ସହ ଖେଳକୁଦ ଉପରେ ଏବେ ଜୋର୍ ଦିଆଯିବ। ବିଦ୍ୟାର ବିକାଶ ସହ କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କିଭଳି ରାଜ୍ୟ ଓ ଜାତୀୟସ୍ତରରେ ସୁଯୋଗ ପାଇପାରିବେ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ଏହାଛଡ଼ା ଏବେ ପିଲାଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା କରାଯାଇଛି।

‘‘ଆଗରୁ ହାଇସ୍କୁଲଗୁଡ଼ିରେ ଆଧୁନିକ ଶିକ୍ଷାଦାନ ବ୍ୟବସ୍ଥା ନଥିଲା। ଏବେ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲଗୁଡ଼ିକରେ ପିଲାମାନଙ୍କ ଭବିଷ୍ୟତର କ୍ୟାରିଅର ସ୍ୱପ୍ନକୁ ସାକାର କରିବା ଲାଗି ସ୍ମାର୍ଟ କ୍ଲାରୁମ ଓ ଇ-ଲାଇବ୍ରେରି ଆଦି ବ୍ୟବସ୍ଥା କରାଯାଉଛି। ଏହାର ସୁବିଧା ନେଇ ପିଲାମାନେ ଆଗକୁ ବଢ଼ିପାରିବେ ଏବଂ ସେମାନଙ୍କ ସ୍ୱପ୍ନ ବାସ୍ତବ ରୂପ ନେଇପାରିବ’’, କହିଛନ୍ତି କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନଳିନୀକାନ୍ତ ଶାସିନି।

‘‘ରାଜ୍ୟ ସରକାରଙ୍କର ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲରେ ଏକ ସୁନ୍ଦର ପରିବେଶ ସୃଷ୍ଟି ହେବା ସହିତ ଶିକ୍ଷାର ମାନ ବୃଦ୍ଧି ହୋଇପାରିବ। ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବେ। ସେମାନେ ମୂଳରୁ କମ୍ପ୍ୟୁଟର ଶିକ୍ଷା ପାଇପାରିବେ। ଉନ୍ନତ ଖେଳପଡ଼ିଆ ଓ କ୍ରୀଡ଼ା ଉପକରଣ ଯୋଗୁଁ ଛାତ୍ରଛାତ୍ରୀମାନେ ଖେଳକୁଦରେ ମଧ୍ୟ ଆଗକୁ ବଢ଼ିବେ’’, କହିଛନ୍ତି କୁଆରମୁଣ୍ଡା ବ୍ଲକ ରାଇବୋଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ବେହେରା।

‘‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆମ ସ୍କୁଲର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଆମ ଖେଳପଡ଼ିଆର ଚିତ୍ର ପୂରା ବଦଳି ଯାଇଛି। ଆଗକୁ ମୁଁ ଅଭ୍ୟାସ କରି ଜଣେ ଭଲ ଫୁଟବଲ ଖେଳାଳି ଭାବେ ନିଜକୁ ଗଢି ପାରିବି’’, କହିଛନ୍ତି ହାତୀବାରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନୁ ମିର୍ଦ୍ଧା।

ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ପାଚେରୀ ଏବଂ କାନ୍ଥବାଡ଼କୁ ଚିତ୍ରିତ କରାଯାଇ ଆକର୍ଷଣୀୟ କରାଯାଉଛି। ଏବେ ସୁନ୍ଦରଗଡ଼ର ବିଭିନ୍ନ ସରକାରୀ ହାଇସ୍କୁଲ କାନ୍ଥବାଡ଼ରେ ପ୍ରଦର୍ଶିତ ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ବାର୍ତ୍ତା ପିଲାମାନଙ୍କୁ ପ୍ରେରଣା ଦେବ। ସେହିପରି ମଧୁବାବୁ, ଗୋପବନ୍ଧୁ, ଗଙ୍ଗାଧର ମେହେର ଏବଂ ଭୀମଭୋଇଙ୍କ ଭଳି ଓଡ଼ିଶାର ବରେଣ୍ୟ ପ୍ରତିଭାମାନଙ୍କ କଥା ଏବେ ପିଲାଙ୍କ ଆଖିରେ ପଡ଼ିବ। ସ୍କୁଲର ପରିବେଶରେ ନୂଆ ସବୁଜିମା ହୋଇଛି ହାଇସ୍କୁଲ ରୂପାନ୍ତରଣର ଅନ୍ୟ ଏକ ଆକର୍ଷଣ।

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିବା ସହ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ବୈଠକରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ବିଭିନ୍ନ ସମୟରେ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି ।

ଏହି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜୋର୍ ଦେଇ ଆସୁଛନ୍ତି। ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ନିୟମିତ ବିଭିନ୍ନ ସ୍କୁଲର ଅଗ୍ରଗତି ଅନୁଧ୍ୟାନ କରୁଛନ୍ତି।

Comments are closed.