ପିପିଲି ରାଜନୀତି : ଗତ ୫ଟି ନିର୍ବାଚନରେ ବିଜେଡିର ବାଜିମାତ୍ , ୧୯୯୫ରେ ଶେଷଥର ପାଇଁ ଜିତିଥିଲା କଂଗ୍ରେସ

ପିପିଲି – ପୁରୀ ଜିଲ୍ଲାର ପିପିଲି ହେଉଛି ରାଜ୍ୟର ୧୧୦ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ । ପିପିଲି ଓ ଡେଲାଙ୍ଗ ବ୍ଲକକୁ ନେଇ ଗଠିତ ହୋଇଛି ଏହି ନିର୍ବାଚନ ମଣ୍ଡଳୀ । ଗତ ୨୦ ବର୍ଷ ମଧ୍ୟରେ ହୋଇଥିବା ୫ଟି ବିଧାନସଭା ନିର୍ବାଚନରେ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଆସିଛନ୍ତି ପିପିଲି ଭୋଟର୍ । ବିଜେଡି ଗଠନ ହେବା ପରଠାରୁ ଏଠାରେ ହାରିନାହିଁ । ଦିବଂଗତ ପ୍ରଦୀପ ମହାରଥୀ ଥିଲେ ବିଜେଡି ବିଜୟର ସାରଥୀ । ୨୦୨୦ ମସିହା ଅକ୍ଟୋବର ୪ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ଆସନ ଖାଲି ପଡିଥିଲା ।

୧୯୯୫ରେ ପିପିଲିରେ ଶେଷ ଥର ପାଇଁ ଜିତିଥିଲା କଂଗ୍ରେସ । ସେତେବେଳେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ଏହି ଆସନରେ ବିଜୟୀ ହୋଇଥିଲେ । ତତ୍କାଳୀନ ଜନତା ଦଳ ଓ ବିଜେଡି ହିଁ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ । କିନ୍ତୁ ୨୦୧୯ରେ ସମୀକରଣ ବଦଳି ଯାଇଥିଲା । କଂଗ୍ରେସକୁ ପଛରେ ପକାଇ ବିଜେପି ବିଜେଡିର ନିକଟତମ ପ୍ରତିଦ୍ୱନ୍ଦୀ ଭାବେ ସାମନାକୁ ଆସିଥିଲା । କିନ୍ତୁ ବିଜେଡିର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଥିଲା ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୧୫ ହଜାର ୭୮୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ମହାରଥୀଙ୍କୁ ୮୮ ହଜାର ୫୧୮ ଭୋଟ୍ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ପାଇଥିଲେ ୭୨ ହଜାର ୭୩୧ ଭୋଟ୍ ।

୨୦୧୪ ବିଧାନସଭା ନିର୍ବାଚନରେ ପ୍ରଦୀପ ମହାରଥୀ, ନିଜର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟଙ୍କୁ ୩୩ ହଜାର ୪୭୪ ଭୋଟରେ ହରାଇଥିଲେ । ମହାରଥୀଙ୍କୁ ୮୨ ହଜାର ୫୫୦ ଭୋଟ୍ ମିଳିଥିବା ବେଳେ ସାମନ୍ତରାୟ ପାଇଥିଲେ ୪୯ ହଜାର ୭୬ ଭୋଟ୍ ।

Comments are closed.