ପିପିଲି ଆସନରେ ପୁଣି ବିଜେଡିର ବାଜିମାତ୍‌, ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ଜିତିଲେ ରୁଦ୍ରପ୍ରତାପ ମହାରଥୀ

ପିିପିଲି – ପିପିଲି ଆସନ ବଜାୟ ରଖିଛି ବିଜେଡି । ଉପନିର୍ବାଚନରେ ବାଜି ମାରିନେଇଛନ୍ତି ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୧ ହଜାର ଭୋଟରେ ହରାଇଛନ୍ତି ରୁଦ୍ର । ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ । ଗତବର୍ଷ ଅକ୍ଟୋବର ୪ ତାରିଖରେ ହିଁ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଆଉ ପିତାଙ୍କ ମୃତ୍ୟୁର ଠିକ୍ ବର୍ଷକ ପରେ ପିପିଲି ଆସନରେ ବିଜୟୀ ହୋଇଛନ୍ତି ପୁଅ ରୁଦ୍ର ପ୍ରତାପ ।

ପିପିଲି ଆସନ ବିଜୟ ସହ ଗତ ବର୍ଷକ ମଧ୍ୟରେ ହୋଇଥିବା ତିନିଟିଯାକ ଉପନିର୍ବାଚନରେ ବିଜୟୀ ହୋଇ ହ୍ୟାଟ୍ରିକ କରିଛି ବିଜେଡି । ପୂର୍ବରୁ ଗତବର୍ଷ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନରେ ବି ବାଜି ମାରିଥିଲା ବିଜେଡି । ଗତ ୨୦ ବର୍ଷ ମଧ୍ୟରେ ଲଗାତର ଷଷ୍ଠ ଥର ପିପିଲି ଆସନ ଉପରେ କବଜା କରିଛି ବିଜେଡି । ପିପିଲି ଆସନ ବିଜେଡିଠାରୁ ଛଡାଇ ଆଣିବା ପାଇଁ ବିଜେପିର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ପିପିଲି ଆସନରେ ବିଜେଡିର ସହଜ ବିଜୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପୁଣି ଥରେ ପ୍ରମାଣିତ କରିଥିବା ବେଳେ ବିରୋଧୀଙ୍କ ପାଖରେ କିଛି ଉତ୍ତର ନ ଥିବା ଭଳି ମନେ ହୁଏ ।

ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ପିପିଲି ଉପନିର୍ବାଚନ ସବୁ ଦଳ ପାଇଁ ଏକ ପ୍ରକାର ଟ୍ରାଏଲ୍ ଥିଲା । ଆଉ ଏଥିରେ ସଫଳ ହୋଇ ବିଜେଡି ବିରୋଧୀ ଦଳଗୁଡିକୁ ଏକ ପ୍ରକାର ବାର୍ତ୍ତା ଦେଇଛି । ବିରୋଧୀଙ୍କ ପାଇଁ ଏବେ ବି ସଫଳତା ବହୂ ଦୂର ବୋଲି ବିଜେଡି ପିପିଲି ଆସନ ଜିତି ସ୍ପଷ୍ଟ ସଂକେତ ଦେଇଛି ।

Comments are closed.