ଆସନ୍ତାକାଲି ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ, କଟକଣା ପାଳନ ସହ ଦର୍ଶନକୁ ଅନୁମତି

ସମ୍ବଲପୁର : ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ ଆସନ୍ତାକାଲି ପବିତ୍ର ଅମାବାସ୍ୟା ତଥା ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ଧାରଣ କରିବେ । ତେବେ ଗତବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ମିଳିନଥିଲା । ହେଲେ ଆସନ୍ତାକାଲି ସଂପୂର୍ଣ କୋଭିଡ କଚକଣା ମଧ୍ୟରେ ଦର୍ଶନ ପାଇଁ ସୁଯୋଗ ଦେବାକୁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ହେଲେ ମାନସିକ ଦୀପ ପ୍ରଜ୍ଜ୍ବଳନ ପାଇଁ ଅନୁମତି ଦେଇନାହିଁ । ତେବେ ଭକ୍ତମାନେ ପୂଜକଙ୍କ ଜରିଆରେ ଦୀପ ଜାଳିପାରିବେ ବୋଲି କୁହାଯାଇଛି ।

ଗତକାଲି ସନ୍ଧ୍ୟାରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନର ଗୁରୁତ୍ବପୂର୍ଣ ବୈଠକ ବସିଥିଲା । ଏଥିରେ ଧବଳମୁଖୀ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ଦେବାକୁ ସ୍ଥିର ହୋଇଥିଲା । ହେଲେ ଏଥିପାଇଁ ସଂପୂର୍ଣ କୋଭିଡ ନିୟମ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ସାମାଜିକ ଦୂରତ୍ବ ରଖି ବିନା ଭୋଗ ତଥା ପୂଜା ସାମଗ୍ରୀରେ କେବଳ ଦର୍ଶନ କରିବେ । ଏଥିପାଇଁ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ସାଢେ ୭ଟା ଯାଏ ଦ୍ବାର ଖୋଲା ରହିବ । କେବଳ ମାଁ ଙ୍କ ଭୋଗ ଅର୍ପଣ ସମୟରେ ବିରତି ରହିବ ବୋଲି ସ୍ଥିର ହୋଇଛି । ତେବେ ବୟସ୍କ, ଶିଶୁ, ଗର୍ଭବତୀ ମହିଳା ଏବଂ ରୋଗାଗ୍ରସ୍ତ ଲୋକଙ୍କୁ ନ ଆସିବାକୁ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଆହ୍ବାନ କରିଛନ୍ତି ।

ମହାଳୟା ଦିନ ଏହି ବେଶରେ ମାଁଙ୍କ ଦର୍ଶନ କଲେ ଗଙ୍ଗାଦର୍ଶନର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ବିଶ୍ଵାସ ରହିଛି ଯେ , ମହାଳୟାରେ ଗଙ୍ଗାରେ ପିତୃତର୍ପଣ କରିବାର ସୁଯୋଗରୁ ବଞ୍ଚିତ ହେଉଥିବା ଲୋକେ ମହାନଦୀରେ ତିଳତର୍ପଣ କରି ମାଁ ସମଲେଶ୍ବରୀଙ୍କ ଗଙ୍ଗାବେଶ ବା ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗାଦର୍ଶନର ପୂଣ୍ୟ ମିଳିଥାଏ । ଏହି ବେଶରେ ମାଁଙ୍କ ଦେହର ବର୍ଣ ସଂପୂର୍ଣ ଧଳା ବା ଧବଳ । ବର୍ଷତମାମ ସିନ୍ଦୁରଚଚ୍ଚିତା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବା ମାଁ ଗୋଟିଏ ଦିନ ପାଇଁ ଚନ୍ଦନ ଚର୍ଚ୍ଚିତା ହୋଇ ଦର୍ଶନ ଦେଇଥାନ୍ତି । ଆଉ ଏହି ବେଶ ଦର୍ଶନ ପାଇଁ ମନ୍ଦିରରେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଥାଏ । କିନ୍ତୁ , ଗତବର୍ଷ କରୋନା କଟକଣା ଯୋଗୁଁ ଭକ୍ତ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଏବର୍ଷ ଧବଳମୁଖୀ ଦର୍ଶନ ନେଇ ଅନୁମତି ମିଳିଥିବାରୁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

ସେପଟେ , ଅମାବାସ୍ୟାର ପରଦିନ ଅର୍ଥାତ ପ୍ରତିପଦାରୁ ମାଁଙ୍କ ନିକଟରେ ନବଦିନାତ୍ମକ ମାନସିକ ଦ୍ବୀପ ପ୍ରଜ୍ଜଳନ ବି ଆରମ୍ଭ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚୀ ପ୍ରକାଶିତ ହୋଇଛି । କିନ୍ତୁ ଏଥର ବି ଭକ୍ତଙ୍କୁ ଦୀପଘରକୁ ଆସିବାକୁ ମନା କରାଯାଇଛି । ତେବେ ଭକ୍ତମାନେ ପୂଜକଙ୍କ ଜରିଆରେ ଦୀପ ଜାଳିପାରିବେ ବୋଲି କୁହାଯାଇଛି । ସଭାପତି ଶ୍ରୀ ବାବୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ, ଡେପୁଟି କଲେକ୍ଟର ବିନୋଦ ଦାସଙ୍କ ସମେତ ବୋର୍ଡ ସଭ୍ୟ ଏବଂ ପୂଜକମାନେ ସାମିଲ ହୋଇଥିଲେ ।

Comments are closed.