ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉଙ୍କ ଦ୍ୟୁତକ୍ରୀଡା ଉତ୍ସବ

ପୁରୀ: ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥିଲା । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ ବିଜେହୋଇ ବାଲିସାହିସ୍ଥିତ ଭୃଗୁ ଆଶ୍ରମକୁ ଯାଇଥିଲେ। ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ପରିବର୍ତନ କରିଥିଲେ।

ବଡସିଂହାର ଭୋଗ ସରିବା ପରେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହୋଇଥିଲା । ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତକ୍ରୀଡା ଉତ୍ସବ ନାମରେ ଅଭିହିତ । ସର୍ତ୍ତ ଅନୁଯାୟୀ ଏହି ଦ୍ୟୂତି କ୍ରୀଡାରେ ମା ମହାଲକ୍ଷ୍ମୀଙ୍କ ଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ହାରିଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ ।

ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ପୁନଃ ମାଧବ ସିଂହାସନରେ ବିଜେ କରିବେ । ମହାପ୍ରଭୁଙ୍କ ତରଫରୁ ପ୍ରତିନିଧ ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଛୁ ମହାପାତ୍ର ୨୧ଟିହିଙ୍ଗୁଳ କଉଡ଼ି, ୨୧ଟିରୂପା କଉଡି, ପଶା ଶକଟା ଖେଳମାନ ଖେଳିଥିଲେ ।ସାଧାରଣ ମାନବ ପରି ପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଠାକୁରାଣୀ କୁମାରପୂର୍ଣ୍ଣିମାରେ ନୂଆଲୁଗା ପିନ୍ଧି ଏହି ଖେଳ ଖେଳିଥିଲେ ।

Comments are closed.